ଭୁବନେଶ୍ୱରକୁ ପୁଣି ଫେରିବ ରାହାଗିରି ଓ ସିଟି ଫେଷ୍ଟ ଭଳି ମନୋରଞ୍ଜନ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜଧାନୀ ଭୁବନେଶ୍ୱରକୁ ପୁଣି ଫେରିବ ରାହାଗିରି ଓ ସିଟି ଫେଷ୍ଟ ଭଳି ମନୋରଞ୍ଜନ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ । କୋଭିଡ ପୂର୍ବରୁ ଏଭଳି କାର୍ଯ୍ୟକ୍ରମ ଲୋକଙ୍କ ଦ୍ୱାରା ବେଶ ଆଦୃତ ହୋଇପାରିଥିଲା। ପୁଣିଥରେ ଏହି କାର୍ଯ୍ୟକ୍ରମ ସବୁକୁ ଆୟୋଜନ କରିବା ପାଇଁ ବିଏମସି କର୍ପୋରେସନ ବୈଠକରେ ବିଧିବଦ୍ଧ ଆଲୋଚନା କରାଯାଇଛି। ଏନେଇ ଏବେ ଆବଶ୍ୟକ ପ୍ରସ୍ତୁତି କରାଯାଉଛି ।

ଆଗକୁ ଭୁବନେଶ୍ବରରେ ଆୟୋଜିତ ହେବାକୁ ଯାଉଛି ବିଶ୍ୱକପ ହକି । ଏଥିପାଇଁ ମଧ୍ୟ ସହରର ପରିମଳ ଓ ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ମୁଖ୍ୟତଃ ରାସ୍ତା ମଝିର ମେଡିଆନ, ରାସ୍ତାର ଉଭୟ ପାର୍ଶ୍ବର ପ୍ରାଚୀରର ସୌନ୍ଦର୍ଯ୍ୟକରଣ ଉପରେ ଧ୍ୟାନ ଦିଆଯାଉଛି ।ସବୁ ପ୍ରାଚୀରରେ କିଭଳି ରଙ୍ଗୀନ ଚିତ୍ରରେ ଚିତ୍ରିତ କରାଯିବ ଏଥିପାଇଁ ରାଜଧାନିବାସୀଙ୍କ ମତାମତ ସଂଗ୍ରହ କରାଯାଉଛି । ରାସ୍ତାର ଉଭୟ ପାର୍ଶ୍ବର କାନ୍ଥକୁ ଚିତ୍ରିତ କରିବାକୁ ଅଭିଜ୍ଞ ତଥା କୁଶଳୀ ଚିତ୍ରଶିଳ୍ପୀଙ୍କୁ ନିୟୋଜିତ କରାଯାଇଛି ।

ସେହିଭଳି ବିଶ୍ୱକପ ସମୟରେ ଲୋକଙ୍କ ଭିଡ଼ ସମ୍ଭାବନା ଥିବାରୁ ପରିମଳ ବ୍ୟବସ୍ଥା ପାଇଁ ଅଧିକ ସଂଖ୍ୟାରେ ଇ ଟଏଲେଟ ଓ ପବ୍ଲିକ ଟଏଲେଟ ନିର୍ମାଣ ଓ ମରାମତି କରାଯାଉଛି । ଯାହାଦ୍ୱାରା କେହି ରାସ୍ତାକଡ଼ରେ ପରିସ୍ରା କିମ୍ବା ମଳତ୍ୟାଗ ନକରନ୍ତି ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଥିବା ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି ।

Related Posts