ଅଛୁଆଁ କହି ଦୁରେଇ ଦେଲେ ସାହିଭାଇ, ମା’ର ଶବକୁ ସାଇକେଲରେ ମଶାଣୀ ନେଲା ପୁଅ

ଝାରସୁଗୁଡା- କାହାର ମୃତ୍ୟୁ ହେଲେ ସାହି ପଡିଶା ଆସନ୍ତି । କଞ୍ଚା ବାଉଁଶକୁ ପାଳ ଦଉଡିରେ ବାନ୍ଧି କୋକେଇ ତିଆରି କରନ୍ତି । ଆଉ ସେଇ କୋକେଇରେ ଶବକୁ ଶୁଆଇ ସ୍ମଶାନକୁଚାରି କାନ୍ଧ ଦେଇ ନେଇ ଯାଆନ୍ତି ମାଲଭାଇ । ହେଲେ ବେଳେବେଳେ ଏ ସୁଯୋଗ ସବୁ ଶବ ଭାଗ୍ୟରେ ନଥାଏ । ଶବ ବି ସାଇକେଲରେ ଯାଏ ଯଦି ସେ ଛୋଟ ଜାତିରେ ଜନ୍ମ ନେଇଥାଏ ।

ହଁ, ଏମିତି ହିଁ ହୁଏ । ଜାତିଭେଦରେ ମଣିଷ ଏମିତି ବୁଡି ଯାଇଛି ଯେ ମଲା ପରେ ବି ଶବ ଛୁଇଁବାକୁ ବି ଉଚିତ ମଣନ୍ତିନି । ଆପଣଙ୍କୁ ବାରମ୍ବାର ବିଚଳିତ କରି ପକାଉଥିବା ଏହି ଫଟୋଟି ହେଉଛି ଝାରସୁଗୁଡା ଜିଲ୍ଲା କର୍ପାବାହାଲ ନିକଟ ବନ୍ଧବାହାଲର । ସାଇକେଲରେ ମା’ ଜାନକୀଙ୍କ ଶବକୁ ବାଉଁଶ ସାହାଯ୍ୟରେ ବାନ୍ଧି ମଶାଣୀ ଅଭିମୁଖେ ବୋହି ନେଉଛି ପୁଅ ସୁରଜ । ମଲା ମା’ର ମୁହଁ କାଳେ କିଏ ଦେଖିଦେବ ସେଥିପାଇଁ ଗୋଟିଏ ଗାମୁଛା ଆଉ ଖଣ୍ଡେ ଚାଦରରେ ଗୁଡାଇ ଦେଇଛି ଦେହକୁ ।

୧୭ ବର୍ଷୀୟ ସୁରଜର ଜନ୍ମ ଛୋଟ ଜାତିରେ । ଦେଢ଼ବର୍ଷ ତଳୁ ବାପାଙ୍କ ଦେହାନ୍ତ ହୋଇ ସାରିଥିଲା । ଗତକାଲି ପାଣି ଆଣିବାକୁ ଯାଇଥିବା ବେଳେ କଚାଡି ହୋଇ ପଡି ଯାଇଥିଲେ ମା ଜାନକୀ । ସେଇଠି ହିଁ ତାଙ୍କ ପ୍ରାଣ ବାୟୁ ଉଡି ଯାଇଥିଲା । ମା’ର ମୃତ୍ୟୁ ପରେ ଯେତେବେଳେ ଶବଦାହ ପାଇଁ ସେ ସାହି ପଡିଶାରେ ଡାକିଥିଲା କେହି ଆସି ନଥିଲେ । ନିଚ୍ଚ ଜାତିର ଲୋକଙ୍କୁ ଛୁଇଁଲେ ଛୁଆଁ କହି ଦୂରେଇ ଦେଇଥିଲେ ସମସ୍ତେ । ମା’ର ମଲା ଦେହ ଟାକୁ ଧରି ମୁଣ୍ଡ କଚାଡି କାନ୍ଦିଥିଲା ନାବାଳକ ପୁଅ । ହେଲେ କେହି ଶୁଣି ନଥିଲେ । ଜାତିଭେଦର ଏ ପରମ୍ପରା ଏମିତି ଲୋକଙ୍କୁ ମାଡି ବସିଛି ଯେ, ଶବକୁ ବି ଏଥିରେ ଛଡାଯାଉନି ।

ଥରେ ଚିନ୍ତା କରନ୍ତୁ କେଉଁ ସମାଜରେ ରହୁଛୁ ଆମେ । କେଉଁ ଚିନ୍ତାଧାରାରେ ବଂଚୁଛୁ । ଯେଉଁଠି ଅଛୁଆଁ ଜାତିର କହି ଶବକୁ ମଶାଣୀ ନେଇ ପାରୁନାହେଁ । ହେଲେ ଡାକ୍ତରଖାନାରେ ଅଜଣା ଲୋକର ରକ୍ତ ଆମ ଦେହକୁ ଯାଇ ପାରୁଛି । ଆମ୍ବୁଲାନ୍ସ କର୍ମଚାରୀଙ୍କ ଜାତି କଥା କେବେ କେହି ପଚାରି ନଥିବେ । ଚିକିତ୍ସା କରୁଥିବା ଡାକ୍ତରର ଜାତି କେହି କେବେ ପଚାରି ନଥିବେ । ରକ୍ତଦାତାର ଜାତି କେହି କେବେ ପଚାରି ନଥିବେ । ସଜା ଶୁଣାଇଉଥିବା ଜଜ୍ ସାହେବଙ୍କ ଜାତି ବି କେହି କେବେ ପଚାରି ନଥିବେ । ଗୋଟିଏ ପଟେ ଆମେ କହୁଛେ ସକଳ ଘଟେ ନାରାୟଣ, କିନ୍ତୁ ସେହି ନାରାୟଣଙ୍କ ଜାତିକୁ ନେଇ ଆମେ ଶବକୁ ବି ସମ୍ମାନ ଦେଇ ପାରୁ ନାହେଁ । ଆଉ କେତେଦିନ ଏମିତି ଚାଲିବ । ଥରେ ଭାବିଲେ ଯଦି ଏମିତି ଆମ ସହ ଘଟିଥାନ୍ତା ତେବେ…….

Comments are closed.