ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): SI ପରୀକ୍ଷା କେଳେଙ୍କାରୀକୁ ସାରା ରାଜ୍ୟରେ ଚର୍ଚ୍ଚା ଜର ଧରିଛି । ଏହା ମଧ୍ୟରେ ଗିରଫ ୪ ଅଭିଯୁକ୍ତ ଜେଲ ଯାଇଥିବାର ସୂଚନା ମିଳିଛି । ତେବେ ଚାରି ଜଣଙ୍କୁ ପ୍ରଥମେ ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ୪ ଜଣଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଯାଇଛି। ଏ ନେଇ ଓକିଲ ଶୁକ୍ରବାର ସୂଚନା ଦେଇଛନ୍ତି। ଗିରଫ ୪ ଅଭିଯୁକ୍ତ ହେଉଛନ୍ତି ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା, ଟି. ଅଭିମନ୍ୟୁ ଏବଂ ପ୍ରିୟଦର୍ଶିନୀ ସାମଲ। ପୂର୍ବରୁ ଏହି ଘଟଣାରେ ୧୧୯ ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ଏ ପର୍ଯ୍ୟନ୍ତ ପୋଲିସ ମୁଖ୍ୟ କାର୍ପଟଦାର ଶଙ୍କର ପୃଷ୍ଟିଙ୍କୁ ଗିରଫ କରି ପାରିନି।କ୍ରାଇମବ୍ରାଞ୍ଚର ତଦନ୍ତ ଅନୁଯାୟୀ, ପୋଲିସ ଏସଆଇ ପରୀକ୍ଷା ସ୍କାମକୁ ନେଇ କାମ କରୁଥିଲା ବଡ଼ ନେଟଓ୍ବର୍କ । ଦିଲ୍ଲୀରେ ବସି ପୂରା ନେଟଓ୍ବର୍କକୁ କଣ୍ଟ୍ରୋଲ୍ କରୁଥିଲା ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି । ଆଉ ଶଙ୍କର ଡାଇରେକ୍ସନରେ ଏଠି କାମ କରୁଥିଲେ ଦୁଇ ସହଯୋଗୀ ମୁନ୍ନା ମହାନ୍ତି ଓ ଅରବିନ୍ଦ ଦାସ । ପୂର୍ବରୁ ଅରବିନ୍ଦ ଦାସ ଧରାପଡ଼ିଥିବା ବେଳେ ଏବେ କ୍ରାଇମବ୍ରାଞ୍ଚ ପଞ୍ଝାକୁ ଆସିଛି ମୁନ୍ନା ମହାନ୍ତି । ପରୀକ୍ଷାର୍ଥୀଙ୍କ ପାଇଁ ହୋଇଥିଲା ଦୁଇଟି ମଡ୍ୟୁଲାର୍ । ପରୀକ୍ଷାର୍ଥୀଙ୍କୁ ନେଇ ଦୁଇଟି ମଡ୍ୟୁଲ୍ କରାଯାଇଥିଲା । ଗୋଟେ ମଡ୍ୟୁଲ୍ ବିଶାଖାପାଟଣା ପାଇଁ ଏବଂ ଆଉ ଗୋଟେ ମଡ୍ୟୁଲ୍ ଦୀଘା ପାଇଁ କରାଯାଇଥିଲା ।ଦୀଘାରେ ପରୀକ୍ଷାର୍ଥୀଙ୍କ ପାଇଁ ୧୧୦ଟି ରୁମ୍ ବୁକ୍ କରାଯାଇଥିଲା । ଆଉ ଦୀଘା ମଡ୍ୟୁଲ ଦାୟିତ୍ବରେ ଥିଲା ଅରବିନ୍ଦ ଦାସ । ସେପଟେ ବିଶାଖାପାଟଣା ମଡ୍ୟୁଲ୍ ଦାୟିତ୍ବରେ ଥିଲା ମୁନ୍ନା ମହାନ୍ତି । ସେଠାରେ ୧୧୪ଜଣ ପରୀକ୍ଷାର୍ଥୀଙ୍କୁ ଦିଆଯାଇଥାନ୍ତ ଟ୍ରେନିଂ ।
ମୁନ୍ନା ମହାନ୍ତି ସହ ଗିରଫ ହୋଇଥିବା ସହଯୋଗୀ ସୌମ୍ୟା ପ୍ରିୟଦର୍ଶିନୀ ସାହୁ ପରୀକ୍ଷାର୍ଥୀ ଯୋଗାଡ଼ କରିବା ସହ ସେମାନଙ୍କ ଠାରୁ ସାର୍ଟିଫିକେଟ୍ ରଖୁଥିଲେ । ଆଉ ପରୀକ୍ଷାର୍ଥୀଙ୍କୁ ନିଜ ଗାଡ଼ିରେ ବାହାରକୁ ନେଉଥିଲା ମୁନ୍ନା ମହାନ୍ତି । ବିଶାଖାପାଟଣାରୁ ଦୀଘା ଭାୟା ଓଡ଼ିଶା ଚାଲିଥିଲା ଶଙ୍କର ପୃଷ୍ଟିର ପୂରା ନେଟଓ୍ବର୍କ ।ଗତକାଲି ଦଶପଲ୍ଲାର କୁଜମେଣ୍ଡି ଫାର୍ମ ହାଉସରେ ଲୁଚିଥିବା ଦଲାଲ୍ ମୁନ୍ନା ମହାନ୍ତି ଏବଂ ତାକୁ ସହଯୋଗ କରୁଥିବା ସୌମ୍ୟା ପ୍ରିୟଦର୍ଶିନୀ ଓ ସୁକାନ୍ତ ମହାରଣା ସହ ଫାର୍ମ ହାଉସ ମାଲିକ ଅଭିମନ୍ୟୁ ଦୋରାକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ୍ ।





