ଅବାଧ, ସ୍ବଚ୍ଛ ଓ ଶାନ୍ତିଶୃଙ୍ଖଳାର ସହ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଇଡଲାଇନ ଜାରୀ

ଅବାଧ, ସ୍ବଚ୍ଛ ଓ ଶାନ୍ତିଶୃଙ୍ଖଳାର ସହ ସଂପାଦନ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରିଛନ୍ତି । ଲାଇସେନ୍ସପ୍ରାପ୍ତ ବନ୍ଧୁକ ବା ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସହ ମତଦାନ କେନ୍ଦ୍ରକୁ ଯିବା କିମ୍ବା ମତଦାନ କେନ୍ଦ୍ର ନିକଟରେ ଚଳପ୍ରଚଳ ହେବା ଉପରେ ନିଷେଧାଦେଶ ଜାରି କରିଛନ୍ତି କମିଶନର।

ନିର୍ବାଚନ ଅଧିକାରୀ, ପୁଲିଂ ଅଧିକାରୀ, ପୋଲିସ ଅଧିକାରୀ ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ବ୍ୟତୀତ କୌଣସି ବ୍ୟକ୍ତି ମତଦାନ କେନ୍ଦ୍ର କିମ୍ବା ମତଦାନ କେନ୍ଦ୍ର ଆଖପାଖ ଅଞ୍ଚଳରେ ରହିପାରିବେ ନାହିଁ । ରାଜ୍ୟ ନିର୍ବାଚନ କମିଶନର ସଂପୃକ୍ତ ବିଭାଗକୁ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ତ୍ରିସ୍ତରୀୟ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ଉପରେ ନିର୍ବାଚନ କମିଶନର ଗୁରୁତ୍ବାରୋପ କରିଛନ୍ତି । ମତଦାନର ୪୮ ଘଣ୍ଟା ପୂର୍ବରୁ ଏବଂ ମତଦାନ ପରଦିନ ପର୍ଯ୍ୟନ୍ତ ଯେଉଁ ସ୍ଥାନରେ ନିର୍ବାଚନ ହେବାକୁ ଥିବ ସେଠାରେ ମଦ ବିକ୍ରୟ ଓ ବଣ୍ଟନ ଉପରେ ନିଷେଧାଦେଶ ଜାରି କରିଛନ୍ତି । ଯଦି କେହି ଏହାର ଖିଲାପ କରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ଅବକାରୀ ବିଭାଗକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ।ଏହି ସମୟରେ ଅନ୍ୟ ସ୍ଥାନକୁ ମାଦକ ଦ୍ରବ୍ୟର ପରିବହନ, ହୋଟେଲ କିମ୍ବା ରେଷ୍ଟୁରାଣ୍ଟ, ଦୋକାନରେ ଅବା ଅନ୍ୟକୌଣସିଠାରେ ମଦ ବ୍ୟବହାର କରାଯାଇପାରିବ ନାହିଁ ବୋଲି ନିର୍ବାଚନ କମିଶନର ସମସ୍ତ ପ୍ରକାରର ବାରଣ କରିଛନ୍ତି । ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ସରକାରୀ ସ୍ବୀକୃତିପ୍ରାପ୍ତ ଅନୁଷ୍ଠାନର କର୍ମଚାରୀମାନଙ୍କୁ ମତଦାନ ଦିନଟିକୁ ରାଜ୍ୟ ନିର୍ବାଚନ କମିଶନ ସବୈତନିକ ଛୁଟି ଦିନ ଭାବେ ଘୋଷଣା କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ କର୍ମଚାରୀମାନଙ୍କର ମତଦାନ କେନ୍ଦ୍ରଠାରୁ କର୍ମସ୍ଥଳ ଦୂର ହୋଇଥିବ ସେମାନେ 3 ଦିନ (ତିନିଦିନ) ସ୍ବତନ୍ତ୍ର ସିଏଲ ପାଇବେ ବୋଲି ନିର୍ବାଚନ କମିଶନ ସଂପୃକ୍ତ ବିଭାଗକୁ ଚିଠି ମାଧ୍ୟମରେ ଜଣାଇଛନ୍ତି ।

ସେହିପରି ଗ୍ରାମାଞ୍ଚଳରେ ବିଭିନ୍ନ ଅନୁଷ୍ଠାନ କିମ୍ବା ଶିଳ୍ପାନୁଷ୍ଠାନ ଗୁଡିକରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ନିର୍ବାଚନରେ ମତଦାନର ସୁଯୋଗ ଦେବା ପାଇଁ ରାଜ୍ୟ ନିର୍ବାଚନ କମିଶନ ମତଦାନ ଦିବସକୁ ସବୈତନିକ ଛୁଟି ଦିବସ ଭାବେ ଘୋଷଣା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାମାଞ୍ଚଳରେ ରହି ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟରତ ଶ୍ରମିକ/କାରିଗରମାନେ ଏହାର ସୁଯୋଗ ନେଇ ମତଦାନ କରିପାରିବେ ବୋଲି ରାଜ୍ୟ ନିର୍ବାଚନ କମିଶନ ସଂପୃକ୍ତ ଶ୍ରମ ବିଭଗକୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ନିର୍ବାଚନ ହେଉଥିବା ଅଞ୍ଚଳରେ ସମସ୍ତ କର୍ମଚାରୀମାନଙ୍କୁ ମତଦାନର ସୁଯୋଗ ଦେବା ନିମନ୍ତେ ରାଜ୍ୟ ନିର୍ବାଚନ କମିଶନ ଭୋଟ ଗ୍ରହଣ ଦିନକୁ ସଂପୃକ୍ତ ଅଞ୍ଚଳରେ ଥିବା ସରକାରୀ କାର୍ଯ୍ୟାଳୟ, ବେସରକାରୀ କାର୍ଯ୍ୟାଳୟ, ବାଣିଜ୍ୟକ ଅନୁଷ୍ଠାନ, ଶିଳ୍ପାନୁଷ୍ଠାନ ଗୁଡିକୁ ଛୁଟି ଘୋଷଣା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ସଂପୃକ୍ତ ଅଞ୍ଚଳରେ ଜୁଡିସିଆଲ କୋର୍ଟ ଥାଏ, ତାହାହେଲେ ଭୋଟ ଗ୍ରହଣ ଦିନ କୋର୍ଟ ମଧ୍ୟ ବନ୍ଦ ରହିବ ବୋଲି ନିର୍ବାଚନ କମିଶନ ସରକାରଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି ।

Related Posts