ଅମାନିଆଙ୍କୁ ସାବାଡ଼ କରିବ ସିସିଟିଭି | ରାଜଧାନୀର ବଛା ବଛା ୧୩ଟି ସ୍ଥାନରେ ଲଗାଯାଇଛି ସିସିଟିଭି | ଯଦି ଆପଣଙ୍କ ଗାଡି ୫୦ କିଲୋମିଟରରୁ ଅଧିକ ବେଗରେ ଯାଉଛି ତେବେ ଆପଣଙ୍କୁ ତଣ୍ଡ ଗଣିବାକୁ ପଡିବ | ମିଟର କଣ୍ଟା ୫୦ ଛୁଇଁଲେ କଟିବ ଚାଲାଣ । ଯଦି ଆପଣ ୫୦ କିଲୋମିଟର ବେଗରେ ଗାଡି ଚଲାଉଛନ୍ତି ତେବେ ଆପଣଙ୍କୁ ଜରିମାନା ଦେବାକୁ ହେବ । ଆଉ ଜରିମାନା ବାବଦକୁ ୭ ହଜାର ଟଙ୍କା ଚାଲାଣ କଟିବ |
ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କୁ ଏଣିକି ନିସ୍ତାର ନାହିଁ । ନିୟମ ଉଲ୍ଲଘଂନ କରୁଥିଲେ ହୋଇଯାଆନ୍ତୁ ସାବଧାନ । ନଚେତ ସିଧା ଆପଣଙ୍କୁ ମୋବାଇଲକୁ ଯିବ ଚାଲାଣ । ଆଉ ସବୁଠାରୁ ବଡ କଥା ହେଉଛି ଏଥର ଆପଣଙ୍କ ବାଇକର ବେଗ ଉପରେ ଲଗାମ ଲଗାଯାଇଛି । ନିୟମ ଉଲ୍ଲଘଂନ କଲେ ଚାଲାଣ ତ କଟିବ ଏହାସହ ଲାଇସେନ୍ସ ମଧ୍ୟ ବାତିଲ କରାଯିବ । ଯଦି ୩ ଥର ଲାଇସେନ୍ସ ବାତିଲ ହୁଏ ତେବେ ଏହାକୁ ସବୁଦିନ ପାଇଁ ରଦ୍ଦ କରିଦିଆଯିବ । ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ ଏଭଳି ଏକ କଡା ଆଭିମୁଖ୍ୟ ଗ୍ରହଣ କରିଛି ଟ୍ରାଫିକ ପୋଲିସ |
ରାଜ୍ୟରେ ଦ୍ରୁତ ଗତି ଓ ମୋବାଇଲରେ କଥାବାର୍ତ୍ତା ସମୟରେ ଗାଡି ଚାଳନା ପାଇଁ ଅଧିକ ଦୁର୍ଘଟଣା ବଢୁଛି । ଏହା ଚାଳକଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ତେଣୁ ଦୁର୍ଘଟଣା ରୋକିବା ପାଇଁ ଚାଳକଙ୍କ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଭୁବନେଶ୍ୱରର ୧୩ ସ୍ଥାନରେ ଏଏନପିଆର/ ଟିଭିଡିଏସ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି । ଆଉ ଏହି କ୍ୟାମେରା ନିୟମ ଉଲ୍ଲଘଂନକାରୀଙ୍କ ଉପରେ ନଜର ରଖିବ । ୫୦ କିଲୋମିଟରୁ ଅଧକ ବେଗରେ ଗାଡି ଚଲାଇଲେ ଚାଳକଙ୍କ ନମ୍ବରକୁ ଏସଏମଏସ ଜରିଆରେ ଚାଲାଣ ପଠାଯିବ |
ଏହି ଜରିମାନା ବାବଦକୁ ୭ ହଜାର ଟଙ୍କା ଚାଲାଣ କଟାଯିବ । ଯଦି ସମ୍ପୃକ୍ତ ଗାଡି ଚାଳକ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ଦେଖାନ୍ତି ତେବେ ଜରିମାନା ରାଶି ୨ ହଜାର ଟଙ୍କାକୁ କମାଇଦିଆଯିବ । ହେଲେ ଡ୍ରାଇଭିଂ ଲାଇସେନ୍ସକୁ ୩ ମାସ ପାଇଁ ବାତିଲ କରିଦିଆଯିବ । ଏଭଳି ୩ଥର ହେଲେ ଡ୍ରାଇଭିଂ ଲାଇସେନ୍ସ ସବୁଦିନ ପାଇଁ ବାତିଲ କରିଦିଆଯିବ ବୋଲି କୁହାଯାଇଛି |





