ଓଡ଼ିଶାରେ ଭାରତମାଲା ଇକୋନୋମିକ କରିଡ଼ର ନିର୍ମାଣ ପାଇଁ କଟାଯିବ ହଜାର ହଜାର ଗଛ, ଆଗେଇପାରୁନାହିଁ ପ୍ରକଳ୍ପ

ସତ୍ୟପାଠ, ବ୍ୟୁରୋ ୦୯/୦୩: ଭାରତମାଳା ଯୋଜନାରେ ନିର୍ମାଣ ହେଉଥିବା ଏହି ୪୬୪ କିଲୋମିଟର ଦୀର୍ଘ ଅର୍ଥନୈତିକ କରିଡର ( ଇକୋନୋମିକ କରିଡ଼ର) ନିର୍ମାଣରେ ଏବେ ଜଙ୍ଗଲ କଣ୍ଟା ସାଜିଛି । ପରିବେଶ ଅନୁମତି ତଥା ହଜାର ହଜାର ସଂଖ୍ୟାରେ ଗଛ କଟା ପାଇଁ ଆବଶ୍ୟକ ସ୍ଵୀକୃତି ମିଳିବାରେ ଅସୁବିଧା ଉପୁଜୁଥିବା ଯୋଗୁଁ ଓଡିଶା ମଧ୍ୟ ଦେଇ ନିର୍ମାଣ ହେଉଥିବା ରାୟପୁର-ବିଶାଖାପାଟଣା ଆର୍ଥିକ କରଡର କାର୍ଯ୍ୟ ଆଗେଇ ପାରୁନାହିଁ । ପ୍ରକଳ୍ପ ମାଷ୍ଟର ପ୍ଲାନ ଅନୁଯାୟୀ ସଡକଟି ରାଜ୍ୟର ଦୁଇ ଜିଲ୍ଲା ନବରଙ୍ଗପୁର ଓ କୋରାପୁଟମଧ୍ଯ ଦେଇ ଯିବ । ଏହି ଦୁଇ ଜିଲ୍ଲାରେ ଏହି ସଡକର ଲମ୍ବ ୨୪୦ କିଲୋମିଟର ରହିଛି । ତେବେ ରାଜ୍ୟ ଜଙ୍ଗଲ ବିଭାଗ ଏହି ସଡକ ନିର୍ମାଣ ପାଇଁ ଗଛ କାଟୁନଥିବା ଓ କାର୍ଯ୍ୟାଦେଶ ପ୍ରଦାନ କରୁନଥିବାରୁ ଆର୍ଥିକ କରିଡର ଏବେ ଓଡିଶାରେ ମନ୍ଥର ହୋଇଯାଇଥିବା ଅଭିଯୋଗ ହେଉଛି ।

ସୂଚନା ଅନୁଯାୟୀ ଚଳିତ ବର୍ଷ ଜାନୁଆରୀ ୪ତାରିଖରେ ପ୍ରଥମ ପର୍ଯ୍ୟାୟରେ ୩୬୪ ହେକ୍ଟର ଜଙ୍ଗଲ ଜମି ପାଇଁ ଅନୁମତି ମିଳିଛି । ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‍ଏଚ୍‍ଏଆଇ) ରାଜ୍ୟ ଜଙ୍ଗଲ ବିଭାଗର ଦାବି ମୁତାବକ ୨୪କୋଟି ୭୬ଲକ୍ଷ ଟଙ୍କା ପଇଠ କରିଛନ୍ତି । ତେବେ ଜଙ୍ଗଲ ବିଭାଗ ବର୍ତ୍ତମାନ ସୁଦ୍ଧା କ୍ଷତିପୂରକ ବନୀକରଣ ପାଇଁ ଡିମାଣ୍ଡ ନୋଟ୍‍ ଜାରି କରୁନାହାନ୍ତି କି ବନ୍ୟଜନ୍ତୁ ସଂରକ୍ଷଣ ନେଇ ସ୍ୱତନ୍ତ୍ର ସ୍ଥାନ ଚିହ୍ନଟ କରିନଥିବା ଅଭିଯୋଗ ହେଉଛି ।କ୍ଷତିପୂରକ ବନୀକରଣ ପ୍ରସ୍ତାବ ପଡି ରହିବା ଏବଂ ବନ୍ୟଜନ୍ତୁ ସଂରକ୍ଷଣ ଯୋଜନା ହେବାରେ ବିଳମ୍ବ ଯୋଗୁଁ ଏନ୍‍ଏଚ୍‍ଏଆଇ କର୍ତ୍ତୃପକ୍ଷ ଏବେ ଗଛ କାଟିବା ଓ କାର୍ଯ୍ୟ ଆରମ୍ଭ ପାଇଁ ଅନୁମତି ପ୍ରଦାନ ଲାଗି ଅନୁରୋଧ କରିଛନ୍ତି । ଏହି ଦୁଇଟି ଅନୁମତି ଉଭୟ କୋରାପୁଟ ଓ ନବରଙ୍ଗପୁରର ଜିଲ୍ଲା କର୍ତ୍ତୃପକ୍ଷ ପ୍ରଦାନ କରିବେ । ସେହିଭଳି ଅନ୍ୟ ଏକ ପ୍ରସ୍ତାବ ନବରଙ୍ଗପୁର, ଜୟପୁର ଓ କୋରାପୁଟ ବନ ବିଭାଗ ଅଧିକାରୀଙ୍କ ନିକଟରେ ପଡି ରହିଥିବା ଜଣାଯାଏ ।ସେହିଭଳି ଜାତୀୟ ରାଜପଥ ନିର୍ମାଣ ପାଇଁ ଆବଶ୍ୟକ ପଡୁଥିବା ବନ୍ୟପ୍ରାଣୀ ଚଳାଚଳ ପଥ ପ୍ରତିଷ୍ଠା କ୍ଷେତ୍ରରେ ଅନ୍ତରାୟ ଉପୁଜୁଛି । କାରଣ ଏଗୁଡିକ କେଉଁ ସ୍ଥାନରେ ପ୍ରତିଷ୍ଠା କରାଯିବ ତାହାକୁ ନେଇ ସହମତି ପ୍ରକାଶ ପାଉନାହିଁ । ଏଥିପାଇଁ ଆଠଗଡ ବନଖଣ୍ଡ ଇଲାକାରେ ରାଜପଥ ନିର୍ମାଣ କ୍ଷେତ୍ରରେ ଅନ୍ତରାୟ ଉପୁଜିଛି । କେତେକ ସ୍ଥାନରେ ଏହି ଧରଣର ପଥ ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦାଙ୍କର ବିରୋଧ ହେଉଛି ।ଏଠାରେ ଉଲ୍ଲେଖ କରାଯାଇପାରେ ଯେ ହାତୀଙ୍କ ପାଇଁ ରାଜପଥ ତଳେ ଯାତାୟତ ସୁବିଧା ଲାଗି ନିଷ୍ପତ୍ତି ହୋଇଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ ହେବାରେ ବିଳମ୍ବ ପରିଲକ୍ଷିତ ହେଉଛି । ବରିଷ୍ଠ ଅଧିକାରୀଙ୍କ ସ୍ତରରେ ହେଉଥିବା ନିଷ୍ପତ୍ତି ତଳ ସ୍ତରରେ କାର୍ଯ୍ୟକାରୀରେ ବିଳମ୍ବ ଘଟୁଛି । ଏଥିଯୋଗୁଁ ଜାତୀୟ ରାଜପଥ ସମ୍ପ୍ରସାରଣ ଓ ନୂତନ ରାଜପଥ ନିର୍ମାଣ କ୍ଷେତ୍ରରେ ଘୋର ଅନ୍ତରାୟ ସୃଷ୍ଟି ପରିଲକ୍ଷିତ ହେଉଛି । (ତଥ୍ୟ)

Related Posts