କର୍ଣ୍ଣାଟକ ସରକାରଙ୍କ ବଡ଼ ନିଷ୍ପତ୍ତି: ଜାନୁଆରୀ ୩୧ରୁ ହଟିବ ନାଇଟ କର୍ଫ୍ୟୁ, କଟକଣା ମଧ୍ୟରେ ଖୋଲିବ ସ୍କୁଲ

ଦେଶରେ ମହାମାରୀ କରୋନାର ଉତ୍ପାତ ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଏବେ ପୁଣି ଥରେ ସ୍ଵାଭାବିକ ହେବାରେ ଲାଗିଛି ଦେଶ । ଏହି କ୍ରମରେ କର୍ଣ୍ଣାଟକା ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ସଂକ୍ରମଣ ହ୍ରାସ ପାଉଥିବା ବେଳେ ନାଇଟ କର୍ଫ୍ୟୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଜାନୁଆରୀ ୩୧ରୁ ରାଜ୍ୟରେ ଆଉ ନାଇଟ କର୍ଫ୍ୟୁ ଲାଗୁ ହେବନି। ପୂର୍ବରୁ କର୍ଣ୍ଣାଟକା ସରକାର ସଂକ୍ରମଣ ରୋକିବାକୁ ଜାରି କରିଥିବା ୱିକେଣ୍ଡ କର୍ଫ୍ୟୁକୁ ପ୍ରତ୍ୟାହାର କରିଥିଲେ।

ଏବେ ସଂକ୍ରମଣ ୩୦ ହଜାର ଉପରେ ରହିଛି। ହେଲେ ଅଧିକାଂଶ ଆକ୍ରାନ୍ତ ଘରେ ରହି ସୁସ୍ଥ ହୋଇଯାଉଛନ୍ତି। ସେହିପରି ହସ୍ପିଟାଲରେ ଲୋକଙ୍କ ସଂଖ୍ୟା ହ୍ରାସ ପାଉଛି ଓ ଆରୋଗ୍ୟ ହାର ବଢ଼ୁଛି। ଏହି କାରଣରୁ କର୍ଣ୍ଣାଟକା ସରକାର କଟକଣା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ସୋମବାର ଠାରୁ ବେଙ୍ଗାଲୁରୁରେ ଥିବା ସମସ୍ତ ସ୍କୁଲ ଓ କଲେଜଗୁଡ଼ିକ ଅଫଲାଇନ କ୍ଲାସ ପାଇଁ ଖୋଲିବ। ତେବେ ଏଠାରେ କରୋନା କଟକଣା କଡ଼ାକଡ଼ି ଭାବେ ପାଳନ କରାଯିବ। ପିଲାମାନଙ୍କ ଠାରୁ ଆରମ୍ଭ କରି ଶିକ୍ଷକମାନେ ମାସ୍କ ପରିଧାନ କରିବେ। ସେହିପରି ସାମାଜିକ ଦୂରତା ନିୟମକୁ ମଧ୍ୟ କ୍ଲାସରୁମରେ ଲାଗୁ କରାଯିବ।

ଏହାବାଦ ସିନେମା ହଲ, ଅଡିଟୋରିୟମ, ଥିଏଟର ଓ ମଲ୍ଟପ୍ଲେକ୍ସ ଗୁଡ଼ିକ ୫୦% କ୍ଷମତାରେ ଚାଲିବ। ହୋଟେଲ, ରେଷ୍ଟୁରାଣ୍ଟ, ବାର ଓ ପବ୍‌ଗୁଡ଼ିକ ୧୦୦% କ୍ଷମତାରେ ସୋମବାର ଠାରୁ ସେବା ଯୋଗାଇବା ଆରମ୍ଭ କରିବେ। ଏଠାରେ କରୋନା କଟକଣା ପାଳନ କରିବା ଦାୟିତ୍ୱ ସରକାର ମାଲିକମାନଙ୍କ ଉପରେ ଛାଡ଼ିଛନ୍ତି।

ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ଅତିଥିଙ୍କ ସଂଖ୍ୟା ମଧ୍ୟ ସରକାର ବୃଦ୍ଧି କରିଛନ୍ତ। ଏଣିକି ଖୋଲା ସ୍ଥାନରେ ହେଉଥିବା ବାହାଘର କାର୍ଯ୍ୟକ୍ରମରେ ସର୍ବାଧିକ ୩୦୦ ଜଣ ଅତିଥି ଯୋଗ ଦେଇପାରିବେ। ଇଣ୍ଡୋର ପାଇଁ ଏ ସଂଖ୍ୟା ୨୦୦ରେ ସୀମିତ ରଖାଯାଇଛି।

ମେଟ୍ରୋ ଓ ଅନ୍ୟ ପରିବହନ ସେବାଗୁଡ଼ିକ ସେମାନଙ୍କ ସିଟିଂ କ୍ଷମତା ଅନୁଯାୟୀ କାର୍ଯ୍ୟକ୍ଷମ କରିବେ। ଜିମ, ସ୍ପୋର୍ଟସ କମ୍ପ୍ଲେକ୍ସ ଓ ସୁଇମିଂ ପୁଲ ଗୁଡ଼ିକ ମଧ୍ୟ ୫୦% ଲୋକଙ୍କୁ ନେଇ ଚାଲିବ ବୋଲି ସରକାର କହିଛନ୍ତି।

ତେବେ ମହାରାଷ୍ଟ୍ର, ଗୋଆ ଓ କେରଳରୁ କର୍ଣ୍ଣାଟକ ଆସୁଥିବା ଲୋକମାନଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଏହି ୩ ରାଜ୍ୟରୁ ଆସୁଥିବା ଲୋକମାନେ କରୋନା ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିଲେ ମଧ୍ୟ ରାଜ୍ୟରେ ପ୍ରବେଶ ପାଇଁ ନେଗେଟିଭ ରିପୋର୍ଟ ଦେଖାଇବେ ।

Related Posts