ସତ୍ୟପାଠ 28/12 ଗଜପତି: ଗତ ବର୍ଷାରେ ଗଜପତି ଜିଲ୍ଲାରେ ଧାନ ଫସଲ ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଛି । ଏବେ ଫସଲ ଅମଳ ପରେ ମଣ୍ଡି କିମ୍ବା ମିଲର ଧାନର ମାନ ହ୍ରାସ ପାଇବା ଯୋଗୁଁ ଗ୍ରହଣ କରୁନାହାନ୍ତି । ଫସଲ କ୍ଷତିଗ୍ରସ୍ତ ନେଇ ଜିଲ୍ଲାର ସମସ୍ତ ବ୍ଲକର ଚାଷୀ ପ୍ରଶାସନକୁ ଅବଗତ କରାଇଛନ୍ତି । କିନ୍ତୁ ଆଜି ଯାଏଁ କୌଣସି ସରକାରୀ ଅଧିକାରୀ ଚାଷୀଙ୍କ କ୍ଷତିର ଆକଳନ କରି କ୍ଷତିପୂରଣ ସହାୟତା ଯୋଗାଇ ଦେବା ପାଇଁ ଚାଷୀଙ୍କ ନିକଟରେ ପହଞ୍ଚି ନାହାନ୍ତି । ଏହାର ପ୍ରତିବାଦରେ ଗୋସାଣୀ ବ୍ଲକ୍ ରାଜସୀତାପୁର ଗ୍ରାମର ଚାଷୀମାନେ ରାସ୍ତାରୋକ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ ନିମନ୍ତେ ଚେଷ୍ଟା କରୁଥିଲେ । ଚାଷୀ ଆନ୍ଦୋଳନ ଆରମ୍ଭ କରିବା ଘଣ୍ଟାଏ ମଧ୍ୟରେ ରାସ୍ତା ଜାମ ହେବାରୁ ଆନ୍ଦୋଳନରତ ଚାଷୀଙ୍କୁ ଗୁରାଣ୍ଡି ଥାନା ପୋଲିସ ଜୋର ଜବରଦସ୍ତ ଉଠାଇ ନେବା ସହ ଆନ୍ଦୋଳନକୁ ଭଣ୍ଡୁର କରି ରାସ୍ତା ଅବରୋଧ ହଟାଇଛି । ଯାହାକୁ ନେଇ ଚାଷୀ ଉତ୍ତେଜିତ ହୋଇ ଅଛନ୍ତି । ନିଜ ଦାବି ପୂରଣ ପାଇଁ ଆନ୍ଦୋଳନରେ ବସିଥିବା ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ଦୃଢ ନିନ୍ଦା କରିଛନ୍ତି ଏବଂ ଆଗାମୀ ଦିନରେ ପ୍ରଶାସନ ଚାଷୀଙ୍କ ସ୍ବାର୍ଥକୁ ଅଣଦେଖା କରେ ତାହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।





