
ଦୀର୍ଘ ଦୁଇ ଦିନ ପଥର ସନ୍ଧିରେ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ଜଣେ ଯୁବକ | ଉଦ୍ଧାର ଯୁବକ ଆର ବାବୁ | ସେ କେରଳର ପାଲକ୍କଡର ମାଲାମପୁଜା ଅଞ୍ଚଳରେ ଥିବା ଛେରାଟ ପାହାଡ଼ର ଦୁଇଟି ପଥର ଖଣ୍ଡ ମଧ୍ୟରେ ଫସି ଯାଇଥିଲେ | ସୋମବାର ଠାରୁ ସେ ସେଠାରେ ଫସି ରହିଥିବା ବେଳେ, ସ୍ଥଳସେନାର ଉଦ୍ୟମ ଯୋଗୁ ଆଜି ଦିନ ପ୍ରାୟ ୧୧ଟା ବେଳେ ତାଙ୍କୁ ପଥର ସନ୍ଧିରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପାରିଛି |
ଉଦ୍ଧାର ପରେ ଆର ବାବୁ ବେଶ ଖୁସିରେ ଫଟୋ ପୋଜ ଦେଇଛନ୍ତି। ଏହି ସମୟରେ ହେଲମେଟ ପିନ୍ଧିଥିବା ଉଦ୍ଧାରକାରୀ ଦଳର ସଦସ୍ୟମାନେ ଉପସ୍ଥିତ ରହିଥିଲେ। ଉଦ୍ଧାର ପରେ ଆର ବାବୁ କହିଛନ୍ତି, “ ବହୁତ ଧନ୍ୟବାଦ। ଭାରତୀୟ ଆର୍ମିକୁ ଧନ୍ୟବାଦ।”
ଏହାପରେ ସେ ସେନା ଯବାନଙ୍କୁ ଧନ୍ୟବାଦ ଦେବାକୁ ଯାଇ କିସ୍ କରିଥିଲେ। ଏହାପରେ ଭାରତୀୟ ସେନାର ଜୟ ଓ ଭାରତ ମାତର ଜୟ ନାରା ଦେଇଥିଲେ। ତାଙ୍କୁ ଉଦ୍ଧାର ବେଳର ଭିଡିଓକୁ ଭାରତୀୟ ସେନା ଓ ଏଏନ୍ଆଇ ପକ୍ଷରୁ ଟ୍ୱିଟ କରାଯାଇଛି। ଏଥିରେ ଆର ବାବୁ ଓ ଯବାନମାନା ରଶି ଦ୍ୱାରା ପାହାଡ଼ର ଉପର ଭାଗକୁ ଆସୁଥିବା ଦୃଶ୍ୟ ରହିଛି।
ସୋମବାର ଆର ବାବୁ ଓ ଆଉ ଦୁଇ ଜଣ ମିଳିତ ଭାବେ ପାହାଡ଼ର ଶୀର୍ଷରେ ପହଞ୍ଚିବାକୁ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ଅଧା ରାସ୍ତାରେ ଅନ୍ୟ ଦୁଇ ଜଣ ତଳକୁ ଚାଲି ଆସିଥିଲେ। ଆର ବାବୁ ହାର ନମାନି ପାହାଡ଼ ଉପରକୁ ଯିବାକୁ ଚେଷ୍ଟା କରିଥିଲେ। ଶୀର୍ଷରେ ପହଞ୍ଚିବା ପରେ ଦୁର୍ଭାଗ୍ୟବଶତଃ ତାଙ୍କ ଗୋଡ଼ ଖସି ଯାଇଥିଲା ଓ ସେ ପଥର ସନ୍ଧିରେ ଫସି ଯାଇଥିଲେ। ସୋମବାର ଠାରୁ ସେ ସେହି ସ୍ଥାନରେ ରହିଥିଲେ।