ନିର୍ବାଚନୀ ହିଂସା: ଯାଜପୁରର ୬ଟି ବୁଥ୍‌ରେ ମତଦାନ ବନ୍ଦ

ରାଜ୍ୟରେ ଆରମ୍ଭ ହୋଇଥିବା ପଂଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟ ଗ୍ରହଣ | ସେପଟେ ଯାଜପୁରର କିଛି ବୁଥରେ ଦେଖିବାକୁ ମଳିଛି ନିର୍ବାଚନୀ ହିଂସା। ଭୋଟଦାନ ବେଳେ ଉତ୍ତେଜନା ଦେଖାଦେଇଛି। ଏପରିକି ୬ଟି ବୁଥ୍‌ରେ ମତଦାନ ବନ୍ଦ କରିବାକୁ ପଡିଛି।

ସୂଚନା ଅନୁସାରେ, କୋରାଇ ବ୍ଲକ ଗୋଳେଇପୁର ଗ୍ରାମ ପଞ୍ଚାୟତର ୮,୯,୧୦ ଓ ୧୧ ନଂ ବୁଥ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ବୁଥ୍ ରିଗିଂ ଅଭିଯୋଗ ଆସିଥିଲା । ତେବେ ଅଭିଯୋଗ ପାଇ ସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିବା କୋରାଇ ବିଡ଼ିଓଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ସେହିପରି ସାମ୍ବାଦିକଙ୍କୁ ମଧ୍ୟ ଆକ୍ରମଣ ଅଭିଯୋଗ ଆସିଛି । ଫଳରେ ଏହି ୪ଟି ବୁଥ୍‌ରେ ଭୋଟ୍ ଗ୍ରହଣ ବନ୍ଦ ରହିଛି।

ଏତତ୍ ବ୍ୟତୀତ ବିଞ୍ଝାରପୁର ବ୍ଲକ ବାଛୋଳ ପଞ୍ଚାୟତର ୨ ଓ ୪ ନମ୍ଵର ବୁଥ୍‌ରେ କିଛି ଦୁର୍ବୃତ୍ତ ଭୋଟ୍ ବାକ୍ସ ଉଠାଇ ନେଇ ଫେରାର୍ ହୋଇଯାଇଥିବା ଅଭିଯୋଗ ଆସିଛି। ଯାହା ଫଳରେ ଏହି ଦୁଇଟି ବୁଥରେ ମଧ୍ୟ ମତଦାନ ବନ୍ଦ ରହିଛି |

ସୂଚନାଯୋଗ୍ୟ,ଆଜି ରାଜ୍ୟର ୨୯ଟି ଜିଲ୍ଲାର ୬୩ଟି ବ୍ଲକର ୧୭୧ଟି ଜିଲ୍ଲା ପରିଷଦ ଜୋନ୍‌ରେ ଭୋଟ ଗ୍ରହଣ କରାଯାଉଛି, ଯେଉଁଥିରେ କି ୧୩୮୨ଟି ଗ୍ରାମପଞ୍ଚାୟତ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୱାର୍ଡମେମ୍ବର, ସରପଞ୍ଚ ଓ ସମିତି ସଭ୍ୟଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଏହି ପର୍ଯ୍ୟାୟର ଭୋଟିଂ ପାଇଁ ୧୮ ହଜାର ୪୯୫ଟି ବୁଥର ବ୍ୟବସ୍ଥା କରାଯାଇଛି । ଏଥିରୁ ୨୭୭୩ଟି ସମ୍ବେଦନଶୀଳ ବୁଥ ଅଛି । ମୋଟ ୫୬ ଲକ୍ଷ ୫୩ ହଜାର ୪୦୫ ଜଣ ମତଦାତା ସେମାନଙ୍କର ଅଧିକାର ସାବ୍ୟସ୍ତ କରୁଛନ୍ତି ।

ଗତ ୧୬ ତାରିଖରେ ପ୍ରଥମ ଓ ୧୮ରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟର ମତଦାନ ସମୟରେ ୪୫ଟି ମତଦାନ କେନ୍ଦ୍ରରେ ବିଭ୍ରାଟ ଦେଖାଯାଇଥିଲା । ଯେଉଁ ସ୍ଥାନଗୁଡ଼ିକରେ ଭୋଟିଂ ବାଧାପ୍ରାପ୍ତ ହୋଇଥିଲା, ସେହି ସ୍ଥାନ ଗୁଡ଼ିକରେ ଆଗାମୀ ୨୩ ତାରିଖରେ ସକାଳ ୯ଟାରୁ ଦିନ ୩ଟା ଯାଏଁ ଭୋଟିଂ ହେବ । କିନ୍ତୁ ଏହା ପୂର୍ବରୁ ଭୋଟ ବିଭ୍ରାଟ ଘଟଣାରେ ସଂପୃକ୍ତ ୬୨ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିସାରିଛି । ତେଣୁ ତୃତୀୟ ପର୍ଯ୍ୟାୟର ମତଦାନ ପାଇଁ ପୋଲିସ ଅଧିକ ସତର୍କ ରହିଛି ଏବଂ ୨୪୦ ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି । ୧୬୨୫ଟି ମୋଟାଇଲ ପାଟ୍ରୋଲିଂ ପାର୍ଟି ନିୟୋଜିତ ଅଛନ୍ତି ।

Related Posts