ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ।ତେବେ ତା ପୂର୍ବରୁ ଦଳ ଦଳ ମଧ୍ୟରେ ଡିଆଁ ଡିଏଁ ଚାଲିଥିବା ବେଳେ ମିଶ୍ରଣ ପର୍ବ ମଧ୍ୟ ଚାଲୁରହିଛି । ଶନିବାର ବିଜେପି ପକ୍ଷରୁ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିବା ବେଳେ ଆଜି ପଦ୍ମ ଧରିଛନ୍ତି କାନପୁରର ପୂର୍ବତନ ପୋଲିସ କମିଶନର ଅସୀମ ଅରୁଣ । ପୂର୍ବତନ ଆଇପିଏସ ଅଧିକାରୀ ଅରୁଣ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅନ୍ୟାନ୍ୟ ଦଳୀୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଆଜି(ରବିବାର) ବିଜେପିରେ ଯୋଗ ଦେଇଛନ୍ତି ।
ଅସୀମଙ୍କୁ ସ୍ବାଗତ ଜଣାଇ କେନ୍ଦ୍ରମନ୍ତ୍ରୀ ଠାକୁର କହିଛନ୍ତି, ଜଣେ ନମ୍ର ଏବଂ ଅଭିଜ୍ଞ ବ୍ୟକ୍ତି ଯିଏକି ଯୁବପୀଢିଙ୍କ ପାଇଁ ଆଦର୍ଶ ସେ ଆଜି ବିଜେପିରେ ଯୋଗ ଦେଇଛନ୍ତି । ଭାଜପାରେ ଯୋଗ ଦେବା ଅବସରରେ ପୂର୍ବତନ ପୋଲିସ କମିଶନର କହିଛନ୍ତି ‘‘ମୁଁ ବହୁତ ଖୁସି ଏବଂ ଆତ୍ମସନ୍ତୋଷ ଲାଭ କରିଛି । ମୋତେ ଜନତାଙ୍କ ସେବା କରିବାର ସୁଯୋଗ ମିଳିଛି । ବିଜେପିରେ ମିଶିବାର ନିର୍ଣ୍ଣୟ ମୋ ପାଇଁ ସହଜ ନଥିଲା । କାରଣ ଗୋଟିଏ ପଟେ ଚାକିରି ଏବଂ ଅନ୍ୟପଟେ ଜନସେବାର ସୁଯୋଗ ରହିଥିଲା । ହେଲେ ସେ ଜନତାଙ୍କ ସେବା କାର୍ଯ୍ୟକୁ ବାଛିଛନ୍ତି । ଦଳିତ ଓ ନିଷ୍ପେସିତଙ୍କ ନ୍ୟାୟ ପାଇଁ କାର୍ଯ୍ୟ କରୁଥିବା ଭୀମରାଓ ଆମ୍ବେଦକରଙ୍କୁ ଧନ୍ୟବାଦ ଜଣାଇ ଏବେ ବି ଦଳିତ ସମାଜର ଉତ୍ଥାନ ପାଇଁ ଅନେକ କାମ କରିବା ବାକି ଅଛି’’ ବୋଲି କହିଛନ୍ତି ଅସୀମ ।
ଉଲ୍ଲେଖଯୋଗ୍ୟ, ଶନିବାର ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ପ୍ରାର୍ଥୀ ତାଲିକା ବିଜେପି ପ୍ରକାଶ କରିଛି । ପ୍ରଥମ ପର୍ଯ୍ୟାୟ ଭୋଟିଂ ଫେବୃୟାରୀ ୧୦ରେ ହେବାକୁ ଥିବାବେଳେ ୧୪ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବ । ମୋଟ ୧୦୭ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ଦଳ । ନିଜର ଗଡ ଗୋରଖପୁରରୁ ମୁଖ୍ୟମନ୍ତ୍ରୀ ଯୋଗୀ ପ୍ରତିଦ୍ବନ୍ଦିତା କରିବେ ।





