ବଜେପିର ପତନ ପାଇଁ ସମସ୍ତ ଆଞ୍ଚଳିକ ଦଳମାନଙ୍କୁ ଏକତ୍ରୀକରଣ ଆହ୍ବାନ ଦେଲେ ମମତା

ବିଜେପିର ପତନ ମୋର ଲକ୍ଷ୍ୟ । ସେଥି ପାଇଁ ସମସ୍ତ ଆଞ୍ଚଳିକ ଦଳମାନଙ୍କୁ ଏକତ୍ର ହେବାକୁ ପଡ଼ିବ । ଏପରି କିଛି କହି ବିଜେପି କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥିସହ ସେ 2024 ସାଧାରଣ ନିର୍ବାଚନରେ ଉତ୍ତର ପ୍ରଦେଶରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ଉତ୍ତର ପ୍ରଦେଶରେ ନିଜ ଦଳର ଏଣ୍ଟ୍ରି ନେଇ ଆଜି ଘୋଷଣା କରିଛନ୍ତି ଦଳମୁଖ୍ୟ ମମତା ବାନାର୍ଜୀ । କେବଳ ତାଙ୍କ ଦଳ ନିର୍ବାଚନ ଲଢିବ ନାହିଁ ବରଂ ବିଜେପିର ପତନ ପାଇଁ ସମସ୍ତ ଆଞ୍ଚଳିକ ଦଳର ଏକତ୍ରୀକରଣ ପାଇଁ ଆହ୍ବାନ ମଧ୍ୟ ଦେଇଛନ୍ତି ।

ଆଜି (ବୁଧବାର) କୋଲକାତାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିବା ଅବସରରେ ମମତା କହିଛନ୍ତି, ୨୦୨୪ ରେ ହେବାକୁ ଥିବା ଆସନ୍ତା ନିର୍ବାଚନରେ ଉତ୍ତର ପ୍ରଦେଶରେ ମଧ୍ୟ ତାଙ୍କ ଦଳ ପ୍ରାର୍ଥୀ ଦେବ । ତେବେ ବିଜେପିକୁ କେନ୍ଦ୍ରରୁ ହଟାଇବାକୁ ହେଲେ ସମସ୍ତ ଆଞ୍ଚଳିକ ଦଳମାନେ ଏକାଠି ହେବାକୁ ପଡିବ ବୋଲି ମଧ୍ୟ ସେ ଇସାରା ଦେଇଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ବିଜେପି ପାଖରେ ୩ଟି ଅସ୍ତ୍ର ରହିଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ (CBI), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏବଂ ବିପୁଳ ଅର୍ଥ । ଯାହାକୁ ବିଜେପି ବ୍ୟବହାର କରି ଦେଶରେ ପୁଣିଥରେ ନିର୍ବାଚନ ଜିତି କ୍ଷମତାକୁ ଫେରିବାକୁ ପ୍ରୟାସ କରିବ ।ସେହିପରି ସେ ପଶ୍ଚିମବଙ୍ଗର ରାଜ୍ୟପାଳଙ୍କୁ ମଧ୍ୟ ସମାଲୋଚନା କରିବାକୁ ଭୁଲି ନାହାନ୍ତି । ରାଜ୍ୟପାଳ ଜଗଦ୍ବୀପ ଧନକରଙ୍କୁ ବିଜେପିର ଦଲାଲ ବୋଲି କହିବା ସହ ସେ ପେଗାସସ ସଫ୍ଟଓ୍ବେର ଠାରୁ ମଧ୍ୟ ଅଧିକ ବିପଦପୂର୍ଣ୍ଣ ବୋଲ କହିଛନ୍ତି ମମତା । ଗତ କିଛି ବର୍ଷ ଧରି ରାଜ୍ୟପାଳ ଧନକର ଓ ମମତାଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଗତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିକୁ କଡା ଟକ୍କର ଦେଇଥିଲେ ମମତା । ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ଅନ୍ୟ କିଛି ତୁଙ୍ଗ ନେତାଙ୍କ ପ୍ରଚାର ସତ୍ତ୍ବେ ମଧ୍ୟ ମମତାଙ୍କ ରଣନୀତି ଆଗରେ ବିଜେପି ପଶ୍ଚିମବଙ୍ଗରେ କ୍ଷମତା ହାତେଇବାରେ ବିଫଳ ହୋଇଥିଲା ।

Related Posts