ମହାମାରୀ କରୋନାକୁ ନେଇ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଟ୍ୱିଟରରେ ଲଢ଼େଇ

ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ହେଲେ ମୁହାଁମୁହିଁ | ମହାମାରୀ କରୋନା ବେଳେ ଲକଡାଉନ ପରିଚାଳନାକୁ ନେଇ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବାକ ଯୁଧ୍ୟ ହୋଇଛି | ପରସ୍ପର ପରସ୍ପରକୁ ଆକ୍ଷେପ କରିଛନ୍ତି | ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ତାଙ୍କର ଦିଲ୍ଲୀ ପ୍ରତିପକ୍ଷ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରେ ଏହି ଟ୍ୱିଟରରେ ଲଢ଼େଇ ଦେଖିବାକୁ ମିଳିଛି। କରୋନା ବେଳେ ଲୋକଙ୍କ ସହ ଅମାନବୀୟ ଭାବେ କେଜ୍ରିୱାଲ ବ୍ୟବହାର କରିଥିବା ଯୋଗୀ ଅଭିଯୋଗ କରିଛନ୍ତି। ଏହାର ଜବାବ ମଧ୍ୟ କେଜ୍ରିୱାଲ ଦେଇଛନ୍ତି।

ଯୋଗୀ ଟ୍ୱିଟ କରିଛନ୍ତି, “ଶୁଣ କେଜ୍ରିୱାଲ, ପୂରା ମାନବଜାତି ଯେତେବେଳେ କରୋନା ଯନ୍ତ୍ରଣାରେ ଛଟପଟ ହେଉଥିଲା ସେତେବେଳେ ତୁମେ ଉତ୍ତର ପ୍ରଦେଶର ଶ୍ରମିକମାନଙ୍କୁ ଦିଲ୍ଲୀ ଛାଡ଼ିବା ପାଇଁ ବାଧ୍ୟ କରିଥିଲ। ଛୋଟ ପିଲା ଓ ମହିଳାମାନଙ୍କୁ ତୁମ ସରକାର ଅନ୍ଧାର ରାତିରେ ୟୁପି ସୀମାରେ ଅସହାୟ ଭାବେ ଛାଡ଼ିଥିଲା। ଏହାଠାରୁ ବଡ଼ ଅଗଣତାନ୍ତ୍ରିକ ଏବଂ ଅମାନବୀୟ କାମ କିଛି ନଥାଇ ପାରେ। ଏଥିପାଇଁ ଆପଣଙ୍କୁ ଆମେ ମାନବିକତା ଦ୍ରୋହୀ କହିବୁ ନା ଆଉ କ’ଣ?”

ଯୋଗୀ ଆଦିତ୍ୟନାଥ କେଜ୍ରିୱାଲଙ୍କୁ ମିଛୁଆ ବୋଲି ମଧ୍ୟ କହିଛନ୍ତି। ସେ କହିଛନ୍ତି, “ମହାମାରୀ ବେଳେ ଲୋକଙ୍କ ବିଜଳୁ ଓ ପାଣି ସଂଯୋଗ ବନ୍ଦ କରି ଦିଆଯାଇଥିଲା। ନିଦରେ ଶୋଇଥିବା ଲୋକଙ୍କୁ ଉଠାଇ ବସ୍‌ ଯୋଗେ ୟୁପି ସୀମାରେ ଛଡ଼ା ଯାଇଥିଲା। ଘୋଷଣା କରାଯାଇଥିଲା ଯେ ବସ୍‌ ଆନନ୍ଦ ବିହାର ଯିବ। ଏହାପରେ ବିହାର ଓ ୟୁପି ପାଇଁ ବସ୍ ମିଳିବ। ୟୁପି ସରକାର ପ୍ରବାସ ଶ୍ରମିକଙ୍କ ପାଇଁ ବସର ବ୍ୟବସ୍ଥା କରିଥିଲେ ଓ ସୁରକ୍ଷିତ ଭାବେ ସେମାନଙ୍କୁ ରାଜ୍ୟକୁ ଆଣିଥିଲେ।

କେଜ୍ରିୱାଲ ମିଛ କହିବାରେ ଡିଗ୍ରୀ ହାସଲ କରିଛନ୍ତି। ଯେତେବେଳେ ପୂରା ଦେଶ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କରୋନା ଭଳି ମହାମାରୀ ସହ ଲଢ଼େଇ କରୁଥିଲା ସେତେବେଳେ କେଜ୍ରିୱାଲ ଦିଲ୍ଲୀରେ ରହୁଥିବା ଶ୍ରମିକମାନଙ୍କୁ ବାହାରର ରାସ୍ତା ଦେଖାଇ ଦେଇଥିଲେ। ”

ଯୋଗୀଙ୍କ ଏପରି ଟ୍ୱିଟର ଆଟାକ ଉପରେ ଜବାବ ରଖିଛନ୍ତି କେଜ୍ରିୱାଲ। ସେ ଟ୍ୱିଟ କରି କହିଛନ୍ତି, “ଶୁଣ ଯୋଗୀ, ଆପଣ କିଛି ନ କହିବା ଭଲ। ୟୁପିର ଲୋକମାନଙ୍କ ଶବ ନଦୀରେ ଭାସୁଥିଲା ଓ ଆପଣ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଟାଇମ୍ସ ମ୍ୟାଗାଜିନରେ ନିଜ ମିଛ ପ୍ରଶଂସାର ବିଜ୍ଞାପନ ଦେଉଥିଲେ। ଆପଣଙ୍କ ଭଳି ନିର୍ଦ୍ଦୟ ଶାସକ ମୁଁ କେବେ ହେଲେ ଦେଖିନି।”

ଏହାପୂର୍ବରୁ ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ କ୍ଷମତାସୀନ ଆପ୍ ସରକାରଙ୍କୁ ସମାଲୋଚନା କରିଥିଲେ। ମହାମାରୀ କରୋନା ବେଳେ ଆପ୍ ସରକାର ପ୍ରବାସୀ ଶ୍ରମିକଙ୍କୁ ମାଇକେ ଯୋଗେ ଘୋଷଣା କରି ଅନ୍ୟତ୍ର ଚାଲି ଯିବାକୁ କହିଥିଲା। ଏଥିଯୋଗୁ ଦେଶର ବିଭିନ୍ନ ପ୍ରାନ୍ତରେ କରୋନା ବ୍ୟାପିଲା ବୋଲି ମୋଦି ଅଭିଯୋଗ କରିଥିଲେ।

ଏହାର ଭିଡିଓକୁ କେଜ୍ରିୱାଲ ଟ୍ୱିଟ କରି ମୋଦିଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ, “ପ୍ରଧାନମନ୍ତ୍ରୀଙ୍କ ଏପରି ଅଭିଯୋଗ ସଂପୂର୍ଣ୍ଣ ମିଛ। ଯେଉଁ ଲୋକମାନେ କରୋନା ସମୟରେ କଷ୍ଟ ସହିଛନ୍ତି, ଯେଉଁମାନେ ନିଜ ଲୋକଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ସମ୍ବେଦନଶୀଳ ହେବେ ବୋଲି ଦେଶ ଆଶା କରିଛି। ଲୋକଙ୍କ କଷ୍ଟକୁ ନେଇ ରାଜନୀତି କରିବା ପ୍ରଧାନମନ୍ତ୍ରୀଙ୍କୁ ଶୋଭା ଦେଉନାହିଁ।” କେଜ୍ରିୱାଲଙ୍କ ଏହି ଟ୍ୱିଟ ପରେ ଯୋଗୀ ଆଦିତ୍ୟନାଥ ତାଙ୍କୁ ସମାଲୋଚନା କରିଥିଲେ |

Related Posts