
ସତ୍ୟପାଠ 27/12 ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠ ହୁଗୁଳାପଟାକୁ ନାଇଜେରିଆରୁ ଫେରିଥିବା ୮ ବର୍ଷର ପୁଅ ଯିଏ କି କିଛି ଦିନ ତଳେ ଓମିକ୍ରନ୍ ଆକ୍ରାନ୍ତ ଥିଲେ । ଚିକିତ୍ସିତ ହେବା ପରେ ବର୍ତମାନ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେ ଓ ତାଙ୍କ ବାପା ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ ଡିସିଏଚ୍-୧ରେ ରହି ଚିକିତ୍ସିତ ହେଉଥିବା ବେଳେ ପୁଅର ନମୁନା ଭୁବନେଶ୍ୱର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସକୁ ଜିନୋମ୍ ସିକ୍ୱେନ୍ସିଙ୍ଗ୍ ପାଇଁ ପଠାଯାଇଥିଲା । ସେ ଓମିକ୍ରାନ୍ ଆକ୍ରାନ୍ତ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ବୋଲି ଏମ୍କେସିଜି ଅଧୀକ୍ଷକ ପ୍ରଫେସର ଡା.ସନ୍ତୋଷ କୁମାର ମିଶ୍ର କହିଛନ୍ତି । କିନ୍ତୁ ଗତକାଲି ତାଙ୍କର ବାପା ଓ ପୁଅର ଆର୍ଟିପିସିଆର୍ ରିପୋର୍ଟ କୋଭିଡ୍ ନେଗେଟିଭ୍ ଆସିବାରୁ ଉଭୟଙ୍କୁ ଡିସ୍ଚାର୍ଜ କରାଯାଇଛି । ନାଇଜେରିଆରୁ ଫେରିଥିବା ପରିବାରର ୪ଜଣ ସଦସ୍ୟଙ୍କୁ ଘରେ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି କହିଛନ୍ତି । କୋଭିଡ୍ ନେଗେଟିଭ୍ ଆସିବା ପରେ ସେମାନେ ଆଉ କାହାକୁ ସଂକ୍ରମିତ କରିବାର କ୍ଷମତା ହରାଇଥାନ୍ତି । ତେଣୁ ଉଭୟଙ୍କୁ ଘରକୁ ପଠାଇ ଦିଆଯାଇଛି । ସେମାନେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ କୌଣସି ଲକ୍ଷଣ ନାହିଁ ବୋଲି ଏମ୍କେସିଜି ଅଧୀକ୍ଷକ ପ୍ରଫେସର ଡା. ମିଶ୍ର କହିଛନ୍ତି । ସୂଚନାଯୋଗ୍ୟ ଗତ ସପ୍ତାହରେ ହୁଗୁଳାପଟାରେ ନାଇଜେରିଆରୁ ଗୋଟିଏ ପରିବାରର ୪ଜଣ ଫେରିଥିଲେ । ସ୍ୱାବ୍ ସଂଗ୍ରହ କରି ଆର୍ଟିପିସିଆର୍ ପରୀକ୍ଷା କରାଯିବା ପରେ ୮ବର୍ଷର ପୁଅ ପଜିଟିଭ୍ ଆସିଥିଲା । ତାଙ୍କୁ ଏମ୍କେସିଜି ଡିସିଏଚ୍-୧ରେ ଭର୍ତ୍ତି କରାଯାଇଥିଲା । ଛୋଟ ପିଲା ହୋଇଥିବାରୁ ସଂକ୍ରମିତଙ୍କ ସହ ତାଙ୍କ ବାପା ମଧ୍ୟ ରହିଥିଲା । ତିନିଦିନ ତଳେ ତାଙ୍କର ନମୁନା ସଂଗ୍ରହ କରି ଜିନୋମ୍ ସିକେୁ୍ୟନ୍ସିଙ୍ଗ୍ ପାଇଁ ପଠାଯାଇଥିଲା । ଗତକାଲି ଉଭୟଙ୍କ ପୁଣି ଆର୍ଟିପିସିଆର୍ ପରୀକ୍ଷା କରାଯାଇଥିବା ବେଳେ ନେଗେଟିଭ୍ ଆସିଥିଲା ।