ସ୍ୱର ସାମ୍ରାଜ୍ଞୀଙ୍କ ଶେଷକୃତ୍ୟ ବେଳେ ଯୋଗଦେବେ ପ୍ରଧାନମନ୍ତ୍ରୀ

ସ୍ତନ୍ଦ୍ ଆଜି ସମଗ୍ର ଦେଶ । ଦେଶ ଝୁରୁଛି ଆଜି ତାର ପ୍ରିୟ ଓ ଆପଣାର ଲୋକକୁ । ଆରପାରିରେ ସ୍ୱର ସାମ୍ରାଜ୍ଞୀ ତଥା ଭାରତରତ୍ନରେ ସମ୍ମାନିତ ହୋଇଥିବା ଲତା ମଙ୍ଗେଶକର। ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଆଜି ସନ୍ଧ୍ୟା ସାଢ଼େ ୬ଟାରେ ମୁମ୍ବାଇର ଶିବାଜୀ ପାର୍କରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ।

ଲତା ମଙ୍ଗେଶକରଙ୍କ ପାର୍ଥିବ ଶରୀରକୁ ଅପରାହ୍ଣ ସାଢ଼େ ୪ଟାରେ ତାଙ୍କ ପେଦ୍ଦାର ରୋଡ୍ ସ୍ଥିତ ବାସଭବନରୁ ଶିବାଜୀ ପାର୍କକୁ ନିଆଯିବ। ସେଠାରେ ସାଧାରଣ ଦର୍ଶନ ପାଇଁ ତାଙ୍କ ମୃତଦେହକୁ ରଖାଯିବ।

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଅପରାହ୍ଣ ୪ଟା ୧୫ରେ ମୁମ୍ବାଇରେ ପହଞ୍ଚିବେ। ଅପରାହ୍ଣ ୫ଟାରେ ସେ ଲତା ମଙ୍ଗେଶକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।

ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଲତା ମଙ୍ଗେଶକରଙ୍କ ଅନ୍ତିମ ସଂସ୍କାର ସଂପନ୍ନ କରାଯିବ। ସେହିଭଳି ଲତାଙ୍କୁ ସମ୍ମାନ ଜଣାଇବାକୁ ଯାଇ କେନ୍ଦ୍ର ସରକାର ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଦୁଇ ଦିନ ଧରି ଜାତୀୟ ପତାକା ଅର୍ଦ୍ଧନମିତ ରହିବ।

ସୂଚନାଯୋଗ୍ୟ, ଗତମାସରେ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିଲେ ଲତା ମଙ୍ଗେଶକର। ତାଙ୍କୁ ମୁମ୍ବାଇର ବ୍ରିଚ୍‌କ୍ୟାଣ୍ଡି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେ ନିମୋନିଆରେ ବି ପୀଡ଼ିତ ଥିଲେ। କିଛି ଦିନ ତଳେ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ଡାକ୍ତର କହିଥିଲେ। କିନ୍ତୁ ଗତକାଲି ହଠାତ୍‌ ତାଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା। ତେଣୁ ତାଙ୍କୁ ପୁଣି ଭେଣ୍ଟିଲେଟରରେ ରଖା ଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନଥିଲା ଓ ଆଜି ସକାଳ ୮ଟା ୧୨ ମିନିଟ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

Related Posts