୧୫ରୁ ୧୮ ବର୍ଷ ବୟସ୍କ ପିଲାମାନଙ୍କୁ ଦିଆଯିବ ୨ୟ ଡୋଜ: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ

୧୫ରୁ ୧୮ ବର୍ଷ ବୟସ୍କ ପିଲାମାନଙ୍କୁ ଦିଆଯିବ ୨ୟ ଡୋଜ । ଗତ ଜାନୁଆରି ୩ରେ ପ୍ରଥମ ଡୋଜ୍ ଟିକା ନେଇଥିବା ପିଲାମାନଙ୍କୁ ଦିଆଯିବ ଦ୍ଵିତୀୟ ଡୋଜ। ଏନେଇ ଟିକାଦାନ ପକ୍ରିୟାକୁ ତ୍ବରାନ୍ବିତ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟ ସରକାରମାନଙ୍କୁ ପତ୍ର ଲେଖି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ଯେଉଁମାନଙ୍କ ୨ୟ ଡୋଜ ନେବାର ସମୟ ଆସିଯାଇଛି ସେମାନଙ୍କ ଟିକାକରଣକୁ ସମୟବଦ୍ଧ ଉପାୟରେ ଶେଷ କରାଯାଉ । ଏହା ସହିତ ଯେଉଁମାନେ ପ୍ରଥମ ଡୋଜ୍ ନେଇନାହାନ୍ତି, ସେମାନଙ୍କ ଟିକାକରଣକୁ ଯଥାଶୀଘ୍ର ସଂପୂର୍ଣ୍ଣ କରାଯାଉ ।

ସେ କହିଛନ୍ତି ଯେ ଜାନୁଆରି ୩ରେ ସାରା ଦେଶରେ ୧୫-୧୮ ବର୍ଷ ପିଲାମାନଙ୍କ ଟିକାଦାନ ଆରମ୍ଭ ହୋଇଥିଲା । ଇତି ମଧ୍ୟରେ ପ୍ରାୟ ୪.୬୬ କୋଟି ପିଲା ଟିକା ନେଇସାରିଲେଣି । ଜାନୁଆରି ୩ରେ ଯେଉଁ ୪୨ଲକ୍ଷ ପିଲା ଟିକା (କୋଭାକ୍ସିନ) ନେଇଥିଲେ ସେମାନଙ୍କ ୨ୟ ଡୋଜ ନେବାର ସମୟ ଜାନୁଆରି ୩୧ରୁ ଆରମ୍ଭ ହୋଇଯାଇଛି । ଠିକ ସମୟରେ ଟିକା ନେଲେ ହିଁ ଶରୀରକୁ ଉପଯୁକ୍ତ ସୁରକ୍ଷା ମିଳିଥାଏ । ଏଣୁ ଏସବୁ ପିଲାମାନଙ୍କର ୨ୟ ଡୋଜ ଟିକାଦାନ ଯେପରି ସୁଚାରୁ ରୂପରେ ସଂପୂର୍ଣ୍ଣ ହେବ ସେ ନେଇ ଜିଲ୍ଲା ଓ ରାଜ୍ୟ ସ୍ତରରେ ଦୈନିକ ଭିତ୍ତିରେ ତଦାରଖ କରାଯିବା ଉଚିତ ।

Related Posts