ବିବାଦରେ ଛନ୍ଦି ହେଲେ ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନ୍ | ଆପତ୍ତିଜନକ ନୃତ୍ୟକୁ ନେଇ ସଦ୍ୟତମ ଭିଡିଓ ଆଲ୍ବମ୍କୁ ନିଷେଧକ କରିବା ଲାଗି ମଥୁରାର ପୁରୋହିତମାନେ ଦାବି କରିଛନ୍ତି | ଏହି ଭିଡିଓ ଆଲ୍ବମ୍ରେ ଥିବା ପ୍ରସିଦ୍ଧ ଗୀତ ‘ମଧୁବନ୍ ମୈଁ ରାଧିକା ନାଚେ’ ଗୀତ | ଯେଉଁ ଗୀତାରେ ଆପତ୍ତିଜନକ ନୃତ୍ୟ ପରିବେଶଣ କରି ସନ୍ନି ଧାର୍ମିକ ଭାବାବେଗକୁ ଆଘାତ ଦେଇଥିବା କଥା ପୁରୋହିତମାନେ ଅଭିଯୋଗ କରିଛନ୍ତି।
ସେପଟେ, ବୃନ୍ଦାବନର ସନ୍ଥ ନୱଲ ଗିରି ମହାରାଜ କହିଛନ୍ତି, ଅଭିନେତ୍ରୀଙ୍କ ବିରୋଧରେ ସରକାର ଯଦି କାର୍ୟ୍ୟାନୁଷ୍ଠାନ ଗ୍ରହଣ ଓ ତାଙ୍କ ଭିଡିଓ ଆଲ୍ବମ୍କୁ ନିଷେଧ ନ କରନ୍ତି, ଆମେ ଅଦାଲତକୁ ଯିବୁ। ସେ ଆହୁରି ମଧ୍ୟ କହିଛନ୍ତି, ଭିଡିଓ ଆଲ୍ବମ୍ରୁ ସେ ଦୃଶ୍ୟ ପ୍ରତ୍ୟାହାର କରି ସର୍ବସାଧାରଣରେ କ୍ଷମାଭିକ୍ଷା ନ କଲେ ତାଙ୍କୁ ଭାରତରେ ରହିବାକୁ ଅନୁମତି ମିଳିବ ନାହିଁ।
ସୂଚନାଯୋଗ୍ୟ, ବୁଧବାର ଦିନ ‘ସାରେଗାମା ମ୍ୟୁଜିକ୍’ ରିଲିଜ୍ କରିଥିବା ‘ମଧୁବନ’ ଶୀର୍ଷକ ତା’ର ସଦ୍ୟତମ ଭିଡିଓରେ ସନ୍ନି ଲିଓନ୍ କନିକା କପୁର ଏବଂ ଅରନ୍ଦମ ଚକ୍ରବର୍ତ୍ତୀ ଗାଇଥିବା ଉକ୍ତ ଗୀତରେ ନୃତ୍ୟ ପରିବେଶଣ କରିଛନ୍ତି।





