ଉପରମୁହାଁ କରୋନା: ୨୪ ଘଣ୍ଟାରେ ସାରା ରାଜ୍ୟରୁ ୬୮୦ ପଜିଟିଭ୍ ଚିହ୍ନଟ

ରାଜ୍ୟରେ ଉର୍ଧ ମୁଖି କରୋନାର ଦୈନିକ ସଂକ୍ରମଣ | ଗତ ୨୪ ଘଣ୍ଟା ମଧ୍ୟରେ ୬୦୦ ପାର କଲା ସଂକ୍ରମିତଙ୍କ ସଂଖ୍ୟା | ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୮୦ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୪୨୪ । ଦୈନିକ ସଂକ୍ରମଣ ପାଖାପାଖି ଅଢ଼େଇ ଶହ ବଢ଼ିଛି । ଆଜି ୧୮ ବର୍ଷ ଭିତରେ ୧୧୯ ଜଣ ସଂକ୍ରମିତ ହୋଇଛନ୍ତି ।

କ୍ୱାରେଣ୍ଟିନରୁ ୩୯୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୮୩ଟି । ୨୫ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୬୩ ପଜିଟିଭ୍ ବାହାରିଛନ୍ତି । ସୁନ୍ଦରଗଡ଼ରୁ ୬୯, କଟକରୁ ୫୯, ସମ୍ୱଲପୁରରୁ ୪୨, ବାଲେଶ୍ୱରରୁ ୩୪, ଝାରସୁଗୁଡ଼ାରୁ ୨୫, ପୁରୀରୁ ୧୫, ବରଗଡ଼ରୁ ୧୪, ନବରଙ୍ଗପୁରରୁ ୧୩, ଗଞ୍ଜାମରୁ ଆଉ ୧୨ ଜଣ ସଂକ୍ରମିତ ହୋଇଛନ୍ତି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୫୬ହଜାର ୬୬୦କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୦ଲକ୍ଷ ୪୫ହଜାର ୨୫୫ ଆକ୍ରାନ୍ତ । ଏବେ ରାଜ୍ୟରେ ୨୮ଶହ ୮୮ଟି କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

ଅନ୍ୟପଟେ ଦେଶରେ ବି କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାକୁ ଲାଗୁଛି | ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୭ହଜାର ୩୭୯ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୩୩ହଜାରରୁ ଅଧିକ । ଅର୍ଥାତ୍ ଗତକାଲି ଅପେକ୍ଷା ୨୪ ଘଣ୍ଟାରେ ସଂକ୍ରମଣ ୧୦ ପ୍ରତିଶତ ବଢ଼ିଛି ।

ମହାରାଷ୍ଟ୍ରରୁ ସର୍ବାଧିକ ୧୨, ୧୬୦, ପଶ୍ଚିମବଙ୍ଗରୁ ୬୦୭୮, ଦିଲ୍ଲୀରୁ ୪୦୯୯, କେରଳରୁ ୨୫୬୦ ଓ ତାମିଲନାଡୁରୁ ଚିହ୍ନଟ ହୋଇଛନ୍ତି ଆଉ ୧୭୨୮ ନୂଆ ଆକ୍ରାନ୍ତ । ବାକି ବାକି ରାଜ୍ୟରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଭିତରେ ରହିଛି ।

୨୪ ଘଣ୍ଟାରେ କରୋନା ନେଇଛି ଆଉ ୧୨୪ ସଂକ୍ରମିତଙ୍କ ଜୀବନ । ମୋଟ୍ ମୃତ୍ୟୁସଂଖ୍ୟା ୪ଲକ୍ଷ ୮୨ହଜାର ୧୭କୁ ବଢ଼ିଛି । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ଆଉ ୧୧ହଜାର ଆକ୍ରାନ୍ତ । ବର୍ତ୍ତମାନ ସୁଦ୍ଧା ଦେଶରେ ୧ଲକ୍ଷ ୭୧ହଜାର ୮୩୦ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି । ଗତ ସପ୍ତାହେ ଭିତରେ ଦେଶରେ ଦୈନିକ ସଂକ୍ରମଣ ୬ହଜାରରୁ ବଢ଼ି ୪୦ ହଜାର ମୁହାଁ ହେଲାଣି ।

Related Posts