ଓମିକ୍ରନ ଭୟ: ଆଜିଠାରୁ ୩ଦିନ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ

ଭକ୍ତ ଓ ଭଗବାନଙ୍କ ମଝିରେ ଆସିଯାଇଛି କରୋନା ମହାମାରୀ | ତେବେ ଏବେ ଓମିକ୍ରନ ଭୟ ଘାରିଥିବା ବେଳେ, ରାତି ପାହିଲେ ନୂଆବର୍ଷ । ନୂଆବର୍ଷରେ ମନ୍ଦିର ଓ ପର୍ଯ୍ୟଟନସ୍ଥଳୀ ମାନଙ୍କରେ ଜମିଥାଏ ଲୋକଙ୍କ ଭିଡ଼ । ହେଲେ ଏହା ମଧ୍ୟରେ ରହିଛି କରୋନା ସଂକ୍ରମଣର ଭୟ । ରାଜ୍ୟରେ ଓମିକ୍ରନ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଆଜିଠାରୁ ୩ଦିନ ବନ୍ଦ ରହିବ ଶ୍ରୀମନ୍ଦିର ।

ଡ଼ିସେମ୍ବର ୩୧ରୁ ୨ତାରିଖ ଯାଏଁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ ଭକ୍ତ । ଏହି ତିନିଦିନ କେବଳ ନୀତି ସହିତ ସମ୍ପୃକ୍ତ ସେବାୟତ, ଜେଟିପି, ଅଧିକାରୀମାନେ ହିଁ ମନ୍ଦିର ଭିତରେ ପ୍ରବେଶ କରିପାରିବେ । ଜାନୁଆରୀ ୩ ତାରିଖରୁ ଭକ୍ତମାନେ ଶ୍ରୀମନ୍ଦିର ପ୍ରବେଶ କରିପାରିବେ । ଏନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ମଧ୍ୟ ଜାରି କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ।

ଶ୍ରୀମନ୍ଦିର ଖୋଲିବା ପରେ ଭକ୍ତଙ୍କ ଭିଡ଼ ଆଶଙ୍କା ରହିଥିବାରୁ ବଡ଼ଦାଣ୍ଡରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ଼ିଂ ବ୍ୟବସ୍ଥା କରାଯାଇଛି । ମରିଚକୋଟ ଛକରୁ ବାଉଁଶର ବାଡ଼ ତିଆରି ହେଲାଣି । ଜାନୁଆରୀ ୩ତାରିଖ ପରଠୁ ଆଗଭଳି ଭକ୍ତ ମାନେ କାଳିଆ ଠାକୁରଙ୍କ ଦର୍ଶନ କରିପାରିବେ ।

Related Posts