କରୋନା କଟକଣାକୁ ଫୁ ନାଚ ଗୀତରେ ମସଗୁଲ୍ ହେଲେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ

ସତ୍ୟପାଠ 24/12 କଟକ: ଓଡିଶାରେ ୪ ଓମିକ୍ରନ୍ ଚିହ୍ନଟ ହେବା ପରେ ଏବେ ସଜାଗ ରାଜ୍ୟ ସରକାର । ତେବେ ଏହାରି ମଧ୍ୟରେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଆସିଛି ଏକ ସାଂଘାତିକ ଚିତ୍ର । ୟୁନିଭରସିଟିର ଖେଳ ପଡିଆରେ ନାଚ ଗୀତରେ ମସଗୁଲ୍ ହୋଇଛନ୍ତି ଛାତ୍ରଛାତ୍ରୀ । ତା ପୁଣି ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଉପସ୍ଥିତିରେ ହୋଇଥିବାର ଦେଖିବାକୁ ମିଳିଛି । ସତେ ଯେମିତି ସମସ୍ତେ କରୋନାକୁ ଭୁଲି ଯାଇଥିବାର ଜଣାପଡୁଛି | ଆନୁଆଲ ଆଥଲେଟିକ ମିଟ୍ ଅବସରରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ବୁଧବାର ଦିନ ଏହି ନାଚ ଗୀତ କାର୍ଯ୍ୟକ୍ରମ ହୋଇଛି । ଏହି କାର୍ଯ୍ୟକ୍ରମରେ ୟୁନିଭରସିଟିର କୁଳପତିଙ୍କ ସହିତ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମଧ୍ୟ ଉପସ୍ଥିତ ଥିଲେ ।ଏତେ ସଂଖ୍ୟାରେ ପିଲାଙ୍କୁ ଏକାଠି କାହିଁକି କରାଗଲା ତାହା ଏବେ ବଡ଼ ପ୍ରଶ୍ନବାଚୀ ସାଜିଛି । ଘଟଣା ସମୟର ଭିଡିଓଟି ଏବେ ବେଶ ଭାଇରାଲ୍ ହେବାରେ ଲାଗିଛି ।
ସେପଟେ ଏହାକୁ ନେଇ ରେଭେନ୍ସା କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଏପଟେ ଆଉ ଏକ ସାଂଘାତିକ ଦୃଶ୍ୟ ସମସ୍ତଙ୍କ ସାମ୍ନାକୁ ଆସିଛି । ବ୍ରହ୍ମପୁରରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳାରେ ଖୁନ୍ଦା ଖୁନ୍ଦି ସମସ୍ତେ ନାଚିବାରେ ବ୍ୟସ୍ତ ଥିବାର ଚିତ୍ର ଏବେ ବେଶ ଭାଇରାଲ ହେବାରେ ଲାଗିଛି। ଏହି ମେଳାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଲୋକମାନେ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଭରପୁର ମଜା ଉଠାଇଥିଲେ। କୌଣସି ସାମାଜିକ ଦୂରତା ନ ରଖି କାର୍ଯ୍ୟକ୍ରମ ଦେଖିବା ସହ ନାଚଗୀତରେ ମସଗୁଲ ଥିଲେ। ଏହାସହ ମେଳା ପଡ଼ିଆରେ ପଡ଼ିଥିବା ଫୁଡ୍‌ ଷ୍ଟଲରେ ଶହଶହ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା।ଏହି ମେଳାରେ ଅଧିକ ଲୋକଙ୍କ ସମାଗମ ଥିବା ବେଳେ କାହା ମୁହଁରେ ମାସ୍କ ନଥିଲା। ଏହି ମେଳାରେ ଲୋକେ ଏତେ ମସଗୁଲ ଥିଲେ ଯେ, କରୋନା କଟକଣାକୁ ଯେପରି କାହାରି ନିଘା ନଥିଲା । ହୁଏତ ଏହା ଆଗାମୀ ଦିନରେ ସମସ୍ତଙ୍କ ପାଇଁ ଭାରି ପଡିପାରେ |

Related Posts