ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ହିନ୍ଦୋଳ ରେଞ୍ଜ ରାଜମୋହନପୁର ଜଙ୍ଗଲରେ ପାଟ୍ରୋଲିଂ କରୁଥିବାବେଳେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ପ୍ରହଲ୍ଲାଦ ପ୍ରଧାନଙ୍କ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ତେବେ ଗତକାଲି ରାତିରେ କିଛି ଶିକାରୀ ଜନ୍ତୁ ଶିକାର କରୁଥିବା ଖବର ପାଇ ପରେଷ୍ଟର୍ ପ୍ରହଲ୍ଲାଦ ପ୍ରଧାନ ହିନ୍ଦୋଳ କଇ ଜଙ୍ଗଲ ନିକଟସ୍ଥ ସରାସିଂହ ଗ୍ରାମ ନିକଟକୁ ଯାଇଥିଲେ । ଫରେଷ୍ଟର ୧୩ଜଣ କର୍ମଚାରୀଙ୍କ ସହଯୋଗରେ ଘଟଣା ସ୍ଥଳରେ ଚଢ଼ଉ କରିଥିଲେ । ସେତେବେଳେ ୪ ଜଣ ଶିକାରୀ ଏକ ମସୁରୀ ଟାଙ୍ଗୀ ଜଙ୍ଗଲରୁ ଜନ୍ତୁ ଶିକାର କରୁଥିବା ମାଂସକୁ ନିଜ ଭିତରେ ବଣ୍ଟନ କରୁଥିଲେ ।
ବନ କର୍ମଚାରୀଙ୍କୁ ଦେଖି ଶିକାରୀମାନେ ହଠାତ୍ କର୍ମଚାରୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଶିକାରୀ ଗୁଳିରେ ଫରେଷ୍ଟରଙ୍କ ପେଟରେ ଗୁଳି ବିଦ୍ଧ ହେବା ପରେ ସଙ୍ଗେ ସଙ୍ଗେ ତାଙ୍କୁ ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରିସ୍ଥିତି ଗୁରୁତର ହେବାରୁ ଅନୁଗୁଳ ଡାକ୍ତରଖାନାକୁ ନେଇଥିଲେ । ଡାକ୍ତର ଦେଖିବା ପରେ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଘଟଣା ସ୍ଥଳରୁ ତିନିଜଣଙ୍କୁ ଗିରଫ କରାଯାଇଥିଲା ବେଳେ ଜଣେ ଫେରାର ହୋଇ ଯାଇଥିଲେ ।





