କିଟ୍‌ରେ ପୁଣି ନେପାଳୀ ଛାତ୍ରୀଙ୍କ ମୃତ୍ୟୁ; ନେପାଳ ବୈଦେଶିକ ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ତଦନ୍ତ ଦାବି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କିଟ୍‌ରେ ଛାତ୍ରୀ ମୃତ୍ୟୁକୁ ୩ ମାସ ପୁରିନି ପୁଣି ଆଉ ଜଣେ ନେପାଳୀ ଛାତ୍ରୀଙ୍କ ଚାଲିଯାଇଛି ଜୀବନ । ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରୀଙ୍କ ମୃତଦେହ । ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି | ସେପଟେ ଏ ଘଟଣାକୁ ନେଇ ନେପାଳର ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଉବା ଉଦ୍‌ବେଗ ପ୍ରକାଶ କରିଛନ୍ତି | ଘଟଣାର ସତ୍ୟାସତ୍ୟ ଯାଞ୍ଚ୍ ନେଇ ସେ ଟ୍ବିଟ୍ କରିଛନ୍ତି | ଏଥିସହିତ ଘଟଣାର ତଦନ୍ତ ପାଇଁ ନେପାଳ ସରକାର କୂଟନୈତିକ ପଦକ୍ଷେପ ଆରମ୍ଭ କରିଥିବା ସେ ଲେଖିଛନ୍ତି | ଅନ୍ୟପଟେ ଏହି ଛାତ୍ରୀ ମୃତ୍ୟୁକୁ ନେଇ ପୋଲିସ କମିଶନର ଏସ୍‌ ଦେବଦତ୍ତ କହିଛନ୍ତି, ଛାତ୍ରୀ ରୁମରେ ଏକାଥିଲେ ଏବଂ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲେ ।

ରୁମରେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି । ହଷ୍ଟେଲର ଅନ୍ୟ ଝିଅମାନଙ୍କୁ ପଚରାଉଚରା କରାଯାଉଛି । ମୃତ ଛାତ୍ରୀ ନେପାଳ ବୀରଗଞ୍ଜର ପ୍ରୀସା ଶାହା । କିଟ୍ ବିଶ୍ୱବିଦ୍ୟାଳୟରେ ବିଟେକ୍ ପ୍ରଥମ ବର୍ଷର ଛାତ୍ରୀ ଥିଲେ । ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ହଷ୍ଟେଲ ରୁମରୁ ମୃତଦେହ ଉଦ୍ଧାର ହୋଇଥିଲା ।ତେବେ କେଉଁ ପରିସ୍ଥିତିରେ ଛାତ୍ରୀଙ୍କ ମୃତ୍ୟୁ ହେଲା ଏଯାଏଁ ଜଣାପଡ଼ି ନାହିଁ । ହତ୍ୟା କି ଆତ୍ମହତ୍ୟା ତାହା ବି ସ୍ପଷ୍ଟ ହୋଇନାହିଁ । ଏହି ଘଟଣାକୁ ନେଇ କିଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।ଆଜି ମୃତ ଛାତ୍ରୀ ପ୍ରୀସାଙ୍କ ପରିବାର ଲୋକ ଭୁବନେଶ୍ୱରରେ ପହଞ୍ଚିବା ପରେ ଏମ୍ସରେ ମୃତଦେହର ବ୍ୟବଚ୍ଛେଦ ହେବ । ତେବେ ଗତ ଫେବ୍ରୁଆରୀ ୧୬ରେ କିଟ୍ କ୍ୟାମ୍ପସରେ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ପ୍ରାୟ ଅଢ଼େଇ ମାସ ପରେ ଏବେ ପୁଣି ଜଣେ ଛାତ୍ରୀ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି ।

Related Posts