ମାଟି ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଉତ୍ତର ପ୍ରଦେଶର କାନପୁରରେ ଅତର ବ୍ୟବସାୟୀ ପୀୟୂଷ ଜୈନଙ୍କ ବିରୋଧରେ ଟିକସ ଫାଙ୍କିବା ଅଭିଯୋଗ କୁ ନେଇ ରେଡ ପରେ ଏକ ବଡ ଧରଣ ର ଖୁଲାସା ହେଇଛି । ଦୀର୍ଘ ୧୨୦ ଘଣ୍ଟା ଧରି ଚାଲିଥିବା ରେଡ୍ ଶେଷ ହୋଇଛି ।
ଶ୍ରୀ ଜୈନଙ୍କ ଠାରୁ ନଗଦ ୨୫୭ କୋଟି ଟଙ୍କା ମିଳିଛି। ଏଥିସହ ବିଭିନ୍ନ ସ୍ଥାନରେ ଥିବା ୧୬ଟି ଦାମୀ ସମ୍ପତ୍ତିର ଦସ୍ତାବିଜ୍ ଟିକସ ଅଧିକାରୀମାନେ ଜବତ କରିଛନ୍ତି।
ପୀୟୂଷ ଜୈନଙ୍କର କାନପୁରରେ ୬ଟି, କନୌଜରେ ୨ଟି, ମୁମ୍ବାଇରେ ୨ଟି ଓ ଦିଲ୍ଲୀରେ ଗୋଟିଏ ସମ୍ପତ୍ତି ରହିଛି। ସେହିପରି ଦୁବାଇର ୨ଟି ସ୍ଥାନରେ ମଧ୍ୟ ସେ ସମତ୍ତି କିଣିଥିବା ଜବତ ଦସ୍ତାବିଜ୍ରୁ ପ୍ରମାଣ ମିଳିଛି। ନଗଦ ଟଙ୍କା ଓ ସମ୍ପତ୍ତି ଦସ୍ତାବିଜ ବ୍ୟତୀତ ଶ୍ରୀ ଜୈନଙ୍କ ଘରୁ ବିପୁଳ ପରିମାଣର ସୁନା ମଧ୍ୟ ଜବତ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଜୈନଙ୍କୁ ଟିକସ ଫାଙ୍କିବା ଅଭିଯୋଗରେ ଗିରଫ କରାଯାଇଛି। କେନ୍ଦ୍ରୀୟ ଜିଏସ୍ଟି ଆଇନର ୬୯ ସେକସନ ଅନୁଯାୟୀ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା। ତାଙ୍କର ବିଭିନ୍ନ ଠିକଣାରେ ୧୨୦ ଘଣ୍ଟା ଧରି ରେଡ୍ କରାଯାଇଥିବା ବେଳେ ତାଙ୍କୁ ଦୀର୍ଘ ୫୦ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ଏହାରେ ତାଙ୍କୁ ଗିରଫ କରାଯାଇଛି।





