ଖଲିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣ ଆଶଙ୍କାରେ ଦୁଷ୍କର୍ମକାରୀ ରାମ ରହିମକୁ ‘Z’ ପ୍ଲସ୍‌ ସୁରକ୍ଷା

ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଡେରା ସଚ୍ଚା ସୌଦା ପ୍ରମୁଖ ଗୁରମିତ ରାମ ରହିମକୁ ‘Z’ ପ୍ଲସ୍‌ ସୁରକ୍ଷା | ଗୁରମିତ ଉପରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣ ଆଶଙ୍କା ଥିବା ନେଇ ହରିୟାଣାର ଖଟ୍ଟର ସରକାର ତାଙ୍କୁ ଏହି ସୁରକ୍ଷା ଯୋଗାଇ ଦେଇଛନ୍ତି |

ହରିୟାଣା ସରକାରଙ୍କ କହିବା ମୁତାବକ, ଖଲିସ୍ତାନୀ ସମର୍ଥକମାନେ ଡେରା ପ୍ରମୁଖଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି | ଏଥିପାଇଁ ତାଙ୍କୁ ଏହି ସୁରକ୍ଷା ଦିଆଯାଇଛି |

ସୂଚନା ମୁତାବକ, ରାମ ରହିବ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ୨୧ ଦିନ ପାଇଁ ପାରୋଲରେ ବାହାରକୁ ଆସିଛନ୍ତି। ନିର୍ବାଚନର ଠିକ୍‌ ପୂର୍ବରୁ ମିଳିଥିବା ପାରୋଲକୁ ନେଇ ବିରୋଧୀ ଦଳ ଅନେକ ପ୍ରଶ୍ନ ଉଠାଇଥିଲେ ଏବଂ ହରିୟାଣା ସରକାରଙ୍କୁ ଘେରିଥିଲେ | ଏପରିକି ପଞ୍ଜାବ ନିର୍ବାଚନ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ଖଟ୍ଟର ସରକାର କହିଥିଲେ |

ଗୁରମିତ ନିଜର ଦୁଇ ଜଣ ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛି। ଏଥିପାଇଁ ତା’କୁ ୨୦୧୭ ମସିହାରେ ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହାପରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଡେରା ସଚ୍ଚା ସୌଦାର ପୂର୍ବତନ ମ୍ୟାନେଜର ରଣଜିତ ସିଂହଙ୍କ ହତ୍ୟା ମାମଲାରେ ତା’କୁ ଅକ୍ଟୋବର ମାସରେ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ।

ଗୁରମିତ ସହ ତା’ର ଆଉ ୩ ସହଯୋଗୀ ମଧ୍ୟ ଏହି ହତ୍ୟା ମାମଲାରେ ସମାନ ଦଣ୍ଡ ପାଇଛନ୍ତି। ଗୁରମିତ ୨୦୦୨ ମସିହାରେ ଶ୍ରୀ ସିଂହଙ୍କୁ ହତ୍ୟା କରିଥିଲା।

ଗୁରମିତ ଏବେ ରୋହତକ ଜିଲ୍ଲାର ସୁନାରିଆ ଜେଲରେ ଅଛି। ୨୦୧୭ ଅଗଷ୍ଟ ୨୫ରେ ପଞ୍ଚକୁଲାର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ତା’କୁ ଦୁଇ ଜଣ ସ୍ୱାଧୀଙ୍କୁ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ସେହିପରି ୨୦୧୯ ଜାନୁଆରୀ ୧୭ରେ ଉକ୍ତ ସିବିଆଇ କୋର୍ଟ ଗୁରମିତକୁ ସିରସା ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ |

Related Posts