ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାରେ ଚିକିତ୍ସାରେ ଅବହେଳା। ତେବେ ଚାଇବାସାର ସରକାରୀ ପରିଚାଳିତ ହସ୍ପିଟାଲରେ ରକ୍ତ ନେବା ପରେ ଜଣେ ସାତ ବର୍ଷର ଥାଲାସେମିଆ ଶିଶୁଙ୍କ ସମେତ ପାଞ୍ଚ ଜଣ ପିଲା HIV ପଜିଟିଭ୍ ହୋଇଥିବାର ଜଣାପଡ଼ିଛି। ଯାହା ଫଳରେ ରାଞ୍ଚିରୁ ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଦଳ ତଦନ୍ତ ପାଇଁ ପହଞ୍ଚିଛନ୍ତି। ତେବେ ପ୍ରଥମେ ଏହି ଘଟଣା ସାମ୍ନାକୁ ଆସିଥିଲା ଯେତେବେଳେ ଜଣେ ଥାଲାସେମିଆ ପୀଡିତ ଶିଶୁର ପରିବାର ଅଭିଯୋଗ କରିଥିଲେ ଯେ, ଚାଇବାସା ସଦର ହସ୍ପିଟାଲ ରକ୍ତଭଣ୍ଡାରରେ ତାଙ୍କୁ HIV ସଂକ୍ରମିତ ରକ୍ତ ଦିଆଯାଇଥିଲା।ଅଭିଯୋଗ ପରେ, ଝାଡ଼ଖଣ୍ଡ ସରକାର ଅଭିଯୋଗର ତଦନ୍ତ ପାଇଁ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡାକ୍ତର ଦିନେଶ କୁମାରଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଡାକ୍ତରୀ ଦଳ ପଠାଇଥିଲେ।
ପ୍ରାରମ୍ଭିକ ତଥ୍ୟ ପରିସ୍ଥିତିକୁ ଆହୁରି ଗମ୍ଭୀର କରିଛି। ଶନିବାର ଦିନ ଦଳର ଯାଞ୍ଚ ସମୟରେ, ଥାଲାସେମିଆରେ ପୀଡିତ ଆଉ ଚାରି ଜଣ ଶିଶୁ HIV-ପଜିଟିଭ୍ ଥିବା ଜଣାପଡିଥିଲା। ଯାହା ଦ୍ୱାରା ପ୍ରଭାବିତ ଶିଶୁଙ୍କ ସଂଖ୍ୟା ପାଞ୍ଚକୁ ବୃଦ୍ଧି ପାଇଛି। ସମସ୍ତ ଶିଶୁ ସେହି ହସ୍ପିଟାଲରେ ନିୟମିତ ରକ୍ତ ନେଉଥିଲେ।ପ୍ରାଥମିକ ତଦନ୍ତରୁ ଜଣାପଡିଛି, ଜଣେ ଥାଲାସେମିଆ ଶିଶୁଙ୍କୁ ଦୂଷିତ ରକ୍ତ ଦିଆଯାଇଥିଲା। ତଦନ୍ତ ସମୟରେ ରକ୍ତଭଣ୍ଡାରରେ କିଛି ଅସଙ୍ଗତି ଚିହ୍ନଟ ହୋଇଥିଲା ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କୁ ସେଗୁଡ଼ିକର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଡାକ୍ତର ଦିନେଶ କୁମାର ସାମ୍ବାଦିକମାନଙ୍କୁ କହିଛନ୍ତି।





