ମୁମ୍ବାଇ ସ୍ଥିତି ଆପାର୍ଟମେଣ୍ଟରେ ଆତ୍ମହତ୍ୟା କଲେ ଜଣେ 28 ବର୍ଷୀୟ ଅଭିନେତ୍ରୀ । ନକଲି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଅଧିକାରୀ ବୋଲି ତାଙ୍କୁ ପରିଚୟ ଦେଇ ୨୦ ଲକ୍ଷ ଟଙ୍କା ଦେବାକୁ ଚାପ ପକାଉ ହଇରାଣ ମଧ୍ୟ କରୁଥିଲେ। ତେବେ ସେ ଏହାକୁ ସହ୍ୟ ନକରି ପାରି ଆତ୍ମହତ୍ୟା କରିଛନ୍ତି।
ଜୀବନ ହାରିଥିବା ଏହି ୨୮ ବର୍ଷୀୟ ଅଭିନେତ୍ରୀଙ୍କୁ ନକଲି ଏନସିବି ଅଧିକାରୀ ଦ୍ୱୟ ଡ୍ରଗ୍ସ କେସ୍ରେ ଫସାଇ ଦେବାକୁ ଧମକ ଦେଉଥିଲେ। ଅଭିନେତ୍ରୀ ଆତ୍ମହତ୍ୟା କରିବା ପରେ ମୁମ୍ବାଇ ପୁଲିସ୍ ଦୁଇ ନକଲି ଏନସିବି ଅଧିକାରୀଙ୍କୁ ଗିରଫ କରିଛି। ଏହି ଘଟଣାରେ ଆଉ କିଛି ଲୋକ ସାମିଲ ଥିବାରୁ ଆଗକୁ ଗିରଫଦାରୀ ବଢ଼ିବ ବୋଲି ପୁଲିସ୍ କହିଛି।
ସୂଚନାଯୋଗ୍ୟ, ଡିସେମ୍ବର ୨୦ ତାରିଖରେ ମୁମ୍ବାଇର ଗୋଟିଏ ହୁକ୍କା ପାର୍ଲର୍ରେ ଅଭିନେତ୍ରୀ ଜଣଙ୍କ ତାଙ୍କ ଦୁଇ ବନ୍ଧୁଙ୍କ ସହ ରହିଥିଲେ। ଏହି ସମୟରେ ଦୁଇ ଜଣ ନକଲି ଏନସିବି ଅଧିକାରୀ ତାଙ୍କ ପାଖରେ ପହଞ୍ଚିଥିଲେ। ଦୁଇ ଏନସିବି ଅଧିକାରୀ ଅଭିନେତ୍ରୀଙ୍କୁ ଡ୍ରଗ୍ସ କେସ୍ରେ ଫସାଇକୁ ଧମକ ଦେବା ସହ ଟଙ୍କା ମାଗିଥିଲେ। ହେଲେ ଅଭିନେତ୍ରୀ ଜଣଙ୍କ ଟଙ୍କା ଦେବାକୁ ମନା କରି ଦେଇଥିଲେ। ଏହାପରେ ଅଧିକାରୀ ଦ୍ୱୟ ତାଙ୍କୁ ବାରମ୍ବାର ଟଙ୍କା ଦେବାକୁ ଚାପ ପକାଇବା ଆରମ୍ଭ କରିଥିଲେ।
ଏଥିଯୋଗୁ ଅଭିନେତ୍ରୀ ଜଣଙ୍କ ବେଶ ଚିନ୍ତାରେ ରହୁଥିଲେ। ଶେଷରେ ଡିସେମ୍ବର ୨୩ ତାରିଖରେ ସେ ନିଜ ମୁମ୍ବାଇ ସ୍ଥିତ ଭଡ଼ା ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରିଛନ୍ତି। ପୁଲିସ୍ ଘଟଣାର ଯାଞ୍ଚ କରି ରବିବାର ଦୁଇ ନକଲି ଏନସିବି ଅଧିକାରୀଙ୍କୁ ଗିରଫ କରିଛି ।





