ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ | ଏନେଇ ନିର୍ବାଚନ ବିଗୁଲ ବାଜିସାରିଥିବା ବେଳେ, ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜିଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେବ। ଏହା ପୂର୍ବରୁ ସରଗରମ ହୋଇଛି ଗାଁ ରାଜନୀତି। ପ୍ରାର୍ଥୀ ଚୟନ ପାଇଁ ଚାଲିଛି କସରତ। ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ସହ ବିଜୟ ସମ୍ଭାବନା ଥିବା ବ୍ୟକ୍ତିକୁ ବିଜେଡି ଦଳୀୟ ଟିକେଟ ଦେବାକୁ ନିଷ୍ପତ୍ତି ନେଇଛି ।
ଏଥିପାଇଁ ଜୋନସ୍ତରରେ କମିଟି ଗଠନ କରାଯାଇଛି । ଏହି କମିଟି ଜୋନସ୍ତରରୁ ପଠାଇଥିବା ୩ ଜଣିଆ ପ୍ରାର୍ଥୀଙ୍କ ତାଲିକା ଆଧାର କରି ବିଚାର ବିମର୍ଶ କରାଯାଉଛି । ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଫୁଲ୍ ଦମରେ ଲାଗି ପଡ଼ିଛନ୍ତି । ସେପଟେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଶାସନିକ ପ୍ରସ୍ତୁତି ମଧ୍ୟ ଜୋରଦାର ହୋଇଛି । କୋଭିଡ୍ କଟକଣାକୁ କପରି ଭାବରେ କଡ଼ାକଡ଼ି ଭାବେ ପାଳନ କରାଯିବ ଓ ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି ।
ଅନ୍ୟପକ୍ଷରେ ଆସନ୍ତାକାଲିଠୁ ୨୧ ତାରିଖ ପର୍ୟ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ । ଏହି ସମୟରେ କଟକଣାରେ ପ୍ରାର୍ଥୀଙ୍କ ସହିତ କେବଳ ପ୍ରସ୍ତାବକ ଯାଇପାରିବେ । ଚଳିତ ଥର ପ୍ରାର୍ଥୀମାନେ ନାମାଙ୍କନ ବେଳେ ସମ୍ପତ୍ତି, ଶିକ୍ଷାଗତ ଯୋଗ୍ୟତା ଓ ଅପରାଧିକ ମାମଲା ବାବଦରେ ସତ୍ୟପାଠ ଦାଖଲ କରିବେ । ଯଦି ପ୍ରାର୍ଥୀ ମିଛ ସତ୍ୟପାଠ ଦାଖଲ କଲେ ତେବେ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।





