ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା କଂଗ୍ରେସରେ ଆଭ୍ୟନ୍ତରୀଣ ପରିବର୍ତ୍ତନ ଆଣିବା ବିଷୟରେ ପୁଣି ଥରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ଯଦି ଦଳରେ କିଛି ଆଭ୍ୟନ୍ତରୀଣ ପରିବର୍ତ୍ତନ ଅଣାଯାଏ ତେବେ କଂଗ୍ରେସ ପୁନର୍ଜୀବିତ ହେବ |
ସୂଚନା ଥାଉ କି ଯେ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ଆନନ୍ଦ ଶର୍ମା ରବିବାର ଦିନ ଦଳର ରାଜ୍ୟ ୟୁନିଟର ପରିଚାଳନା କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କର ଏହି ପଦକ୍ଷେପ କଂଗ୍ରେସ ପାଇଁ ଏକ ବଡ ଝଟକା ବୋଲି ଚର୍ଚ୍ଚା ଜୋର ଧରିଥିଲା। ତେବେ ପାର୍ଟି ଯେଉଁଠାରେ କହିବ ସେ ପ୍ରଚାର କରିବେ ବୋଲି ସେ କହିଛନ୍ତି ।
ବୁଧବାର ଦିନ ଏକ ସାକ୍ଷାତକାରରେ ସେ କହିଛନ୍ତି, “ଯେଉଁଠାରେ ଆବଶ୍ୟକ ହୁଏ, ମୁଁ କଂଗ୍ରେସ ଦଳ ପାଇଁ ପ୍ରଚାର କରିବି। କଂଗ୍ରେସ ଦଳବାଦରୁ ବାହାରି ଏକଜୁଟ ହେବା ଆବଶ୍ୟକ। ଆମେ ସମସ୍ତେ କଂଗ୍ରେସ କର୍ମୀ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କଂଗ୍ରେସ ଦଳ ଦୃଢ ରହିବାର ଆବଶ୍ୟକତା ଅଛି “|





