ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ କୁହାଯିବା ଠିକ୍ ନୁହେଁ । ତେବେ ଦୀଘାରେ ପଶ୍ଚିମବଙ୍ଗ ସରକାର ପ୍ରତିଷ୍ଠା କରିଥିବା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ବୋଲି କୁହାଯିବା ଏବଂ ପୁରୀରୁ କିଛି ଦଇତାପତି ସେବାୟତ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ନେଇ ସୃଷ୍ଟି ହୋଇଛି ବିବାଦ। ସେହିପରି ପଥର ନିର୍ମିତ ବିଗ୍ରହରେ ବ୍ରହ୍ମ ପ୍ରତିଷ୍ଠା କରାଯାଇଥିବା ଚର୍ଚ୍ଚା ହେଉଛି, ଯାହା ବିଧି ସମ୍ମତ ନୁହଁ ବୋଲି କହିଛନ୍ତି ବରିଷ୍ଠ ଦଇତାପତି ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର। ଦୀଘାରେ ନୂଆ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବେଳେ ପଥରମୂର୍ତ୍ତିରେ ବ୍ରହ୍ମ ସ୍ଥାପନକୁ ନେଇ ବର୍ଷିଛନ୍ତି ପୁରୀର ବହୁ ବରିଷ୍ଠ ସେବାୟତ । ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି । ବ୍ରହ୍ମ କେବଳ ଶ୍ରୀମନ୍ଦିରରେ ଅଛି ।
ଅନ୍ୟ କୌଣସି ଜଗନ୍ନାଥ ମନ୍ଦିରରେ ନାହିଁ । ଯେଉଁ ଦଇତାପତି ସେବାୟତମାନେ ପୁରୀରୁ ଦୀଘା ମନ୍ଦିର ପ୍ରତିଷ୍ଠା କରିବାକୁ ଯାଇଛନ୍ତି, ସେମାନେ ଯଜମାନ ହିସାବରେ ଯାଇଥାଇପାରନ୍ତି ବୋଲି ସେ କହିଛନ୍ତି । ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ କୁହାଯିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି । ପ୍ରାୟ ୨୦୦ ଦଇତାପତି ପୁରୀରେ ଅଛନ୍ତି । ସେମାନଙ୍କ ମଧ୍ୟରୁ ୭ / ୮ ଜଣ ଯାଇଛନ୍ତି ।ବରିଷ୍ଠ ସେବାୟତ ମାଧବ ମହାପାତ୍ର କହିଛନ୍ତି, ଓଡ଼ିଶାର ଗର୍ବ ଓ ଗୌରବକୁ ଛଡାଇ ନିଆଯିବାର ଅପଚେଷ୍ଟା ହୋଇଥିବା ସେ କହିଛନ୍ତି । ରସଗୋଲା ପରେ ଜଗନ୍ନାଥ ଧାମକୁ ନିଜର କହିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅପଚେଷ୍ଟା କରିଛନ୍ତି । ଏହା ଗ୍ରହଣଯୋଗ୍ୟ ନୁହେଁ ବୋଲି ସେ କହିଛନ୍ତି । ଯେଉଁମାନେ ଦୀଘା ଯାଇଛନ୍ତି, ସେମାନଙ୍କର ପୂଜା କରିବାର ଅଧିକାର ନଥିବା ସେ କହିଛନ୍ତି । ବରିଷ୍ଠ ସେବାୟତ ସୋମନାଥ ଖୁଣ୍ଟିଆ ମଧ୍ୟ ଦୀଘା ମନ୍ଦିରକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଅନ୍ୟ ମନ୍ଦିରରେ କେବଳ ତୁଳସୀ ଚନ୍ଦନରେ ପୂଜା କରାଯାଉଛି । ବ୍ରହ୍ମ କେଉଁଠି ପରିବର୍ତ୍ତନ ହୁଅନ୍ତିନି । ସବୁଠି ଜଗନ୍ନାଥ ମନ୍ଦିରରେ କାଠରେ ଚତୁର୍ଦ୍ଧା ବିଗ୍ରହ ପୂଜା ପାଉଛନ୍ତି । ଏହା ହେଉଛି ବିଧି ।





