ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶର ପାଖାପାଖି ୮ ହଜାର ସ୍କୁଲରେ ପିଲା ନାହାଁନ୍ତି ହେଲେ ନିଯୁକ୍ତ ଅଛନ୍ତି ୨୦ ହଜାର ଶିକ୍ଷକ। ତେବେ ସାରା ଦେଶରେ ୨୦୨୪-୨୫ ଶିକ୍ଷା ବର୍ଷ ଲାଗି ପାଖାପାଖି ୮ ହଜାର ସ୍କୁଲରେ ଜଣେ ବି ଛାତ୍ରଛାତ୍ରୀ ନାଁ ଲେଖାଇ ନାହାନ୍ତି । ତଥ୍ୟ ଅନୁସାରେ ପଶ୍ଚିମବଙ୍ଗରେ ସର୍ବାଧିକ ୩,୮୧୨ ସ୍କୁଲ ଥିଲେ ଯେଉଁଠି ଜଣେ ବି ପିଲାର ନାମ ଲେଖା ହୋଇ ନାହିଁ । ଏହା ପଛକୁ ରହିଛି ତେଲେଙ୍ଗାନାର ୨,୨୪୫ଟି ସ୍କୁଲ । ହେଲେ ଛାତ୍ରଛାତ୍ରୀ ବିହୀନ ସ୍କୁଲରେ ନିଯୁକ୍ତ ଅଛନ୍ତି ମୋଟ୍ ୨୦,୮୧୭ ଜଣ ଶିକ୍ଷକ । ସବୁଠୁ ବଡ଼କଥା ହେଲା ପଶ୍ଚିମବଙ୍ଗର ଏପରି ସ୍କୁଲରେ ୧୭,୯୬୫ ଜଣ ଶିକ୍ଷକ ଅଛନ୍ତି । ସେପଟେ ଶିକ୍ଷାମନ୍ତ୍ରାଳୟଙ୍କ ତଥ୍ୟ ଅନୁସାରେ ୨୦୨୩-୨୪ ଶିକ୍ଷା ବର୍ଷରେ ଏହି ପରି ଶୂନ ନାମଲେଖା ସ୍କୁଲ ସଂଖ୍ୟା ୧୨,୯୫୪ ଥିଲା । ତେବେ ୨୦୨୪-୨୫ରେ ଏହା ହ୍ରାସ ହୋଇ ୭,୯୯୩କୁ ପହଞ୍ଚିଛି ।
ହରିୟାଣା, ମହାରାଷ୍ଟ୍ର, ଗୋଆ, ଆସାମ, ହିମାଚଳପ୍ରଦେଶ ଛତିଶଗଡ଼, ନାଗାଲାଣ୍ଡ, ସିକ୍କିମ ଓ ତ୍ରିପୁରାରେ ଏପରି ଗୋଟେ ବି ସ୍କୁଲ ନଥିଲା । ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ‘ସ୍କୁଲ ଶିକ୍ଷା’ ରାଜ୍ୟର ବିଷୟ । ତେଣୁ ଏ ଦିଗରେ ସେମାନେ ଗୁରୁତ୍ବ ଦେବେ । ଏପଟେ ପୁଡୁଚେରୀ, ଲକ୍ଷଦ୍ୱୀପ, ଦାଦର ଓ ନଗରହାଭେଲୀ, ଆଣ୍ଡାମାନ ଓ ନିକୋବର ଦ୍ୱୀପ ସମୂହ, ଦାମନ ଡ୍ୟୁ ଓ ଚଣ୍ଡିଗଡ଼ ଭଳି କେନ୍ଦ୍ର ଶାସିତ ରାଜ୍ୟମାନଙ୍କରେ ଏପରି ଶୂନ ନାମଲେଖା ସ୍କୁଲ ଗୋଟେ ହେଲେ ବି ନାହିଁ ବୋଲି ସୂଚନା ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଚର୍ଚ୍ଚା ଜର ଧରିବାରେ ଲାଗିଛି ।





