ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିଜ ଲୋକଙ୍କ ପାଇଁ ସୀମା ବନ୍ଦ କଲା ପାକିସ୍ଥାନ । ସେପଟେ ଭାରତ ସରକାରଙ୍କ ତରଫରୁ ଆଜିଠାରୁ ଅଟାରୀ ସୀମା ବନ୍ଦ କରିବାକୁ ଘୋଷଣା କରିଥିଲେ । ହେଲେ ମାନବିକତା ଆଧାରରେ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନାଗରିକଙ୍କ ଯାତାୟାତ ପାଇଁ ଅଟାରୀ ସୀମା ଖୋଲା ରହିଛି । ଅର୍ଥାତ ଯେଉଁ ପାକିସ୍ତାନୀ ଏବେ ବି ବେଆଇନ ଭାବେ ଭାରତରେ ଅଛନ୍ତି ସେମାନେ ଅଟାରୀ ସୀମା ଦେଇ ପାକିସ୍ତାନ ଯାଇପାରିବେ । ହେଲେ ଏସବୁ ଭିତରେ ମାନବିକତା ଭୁଲିଗଲା ପାକିସ୍ତାନ । ଭାରତରୁ ଫେରୁଥିବା ପାକିସ୍ତାନୀଙ୍କ ପାଇଁ ନିଜ ଦେଶ ତରଫରୁ ୱାଘା ସୀମା ବନ୍ଦ କରିଦିଆଯାଇଛି । ଗୁରୁବାର ଅର୍ଥାତ ଆଜି ସକାଳ ଠାରୁ ଭାରତରେ ରହୁଥିବା ଜଣେ ବି ପାକିସ୍ତାନୀ ୱାଘା ସୀମା ଦେଇ ପାକିସ୍ତାନରେ ପ୍ରବେଶ କରିପାରିନାହାଁନ୍ତି । ସେପଟେ ଭାରତ ସ୍ପଷ୍ଟ କରିଛି କି, ଯେଉଁ ପାକିସ୍ତାନୀ ନାଗରିକମାନେ ଭାରତରେ ରହୁଛନ୍ତି ସେମାନେ ଆଗାମୀ ଆଦେଶ ପୂର୍ବରୁ ଭାରତ ଛାଡିବାକୁ ବାଧ୍ୟ । ଭାରତର ଏଭଳି ନିଷ୍ପତ୍ତି କେବଳ ରାଜନୈତିକ ସନ୍ତୁଳନ ନୁହେଁ ବରଂ ମାନବାଧିକାର ରକ୍ଷାର ଏକ ମିଶାଲ ଅଟେ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଏପର୍ଯ୍ୟନ୍ତ ୯୨୯ ଜଣ ପାକିସ୍ତାନୀ ନାଗରିକ ଭାରତରୁ ପାକିସ୍ତାନ ଯାଇସାରିଛନ୍ତି ।





