ଆଗକୁ ପଞ୍ଜାବ ନିର୍ବାଚନ | ଏନେଇ ସରଗରମ ରହିଛି ରାଜ୍ୟ ରାଜନୀତି | ଦଳ ପକ୍ଷରୁ ପ୍ରତିଶ୍ରୁତିର ପେଡି ଖୋଲୁଥିବା ବେଳେ, କୌଣସି କ୍ଷେତ୍ରରେ ପଛରେ ରହିବାକୁ ଚାହୁଁନି ଆମ ଆଦମୀ ପାର୍ଟି । ଏହାମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏକ ବଡ ଘୋଷଣା କରିଛନ୍ତି ।
କେଜ୍ରିଓ୍ୱାଲ ଘୋଷଣା କରିଛନ୍ତି ଯେ, ପଞ୍ଜାବରେ ଆପ୍ ସରକାର ଆସିଲେ ସବୁ ସରକାରୀ କାର୍ଯ୍ୟାଳୟରେ ସହିଦ ଭଗତ ସିଂ ଓ ସମ୍ବିଧାନ ପ୍ରଣେତା ବି.ଆର. ଆମ୍ବେଦକରଙ୍କ ଫଟୋ ରହିବ । ଏହାସହ କାହାକୁ ଜୋର ଜବରଦସ୍ତି ଧର୍ମ ପରିବର୍ତ୍ତନ କରିବା ଠିକ୍ ନୁହେଁ ବୋଲି କେଜ୍ରିଓ୍ୱାଲ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ସ୍ୱାଧିନତାର ୭୫ ବର୍ଷ ପୂରଣ ହୋଇଛି । ସ୍ୱାଧିନତା ବହୁ କଷ୍ଟରେ ମିଳିଥିଲା । ଅନେକ ଲମ୍ବା ସମୟ ଧରି ସଙ୍ଘର୍ଷ କରିଥିଲେ । ସ୍ୱାଧିନତା ପାଇଁ ବହୁତ କମ୍ ଜଣ ବଳିଦାନ ଦେଇଛନ୍ତି । କାହାର ବଳିଦାନକୁ ମାପିହେବ ନାହିଁ ।
କେଜ୍ରି ଆହୁରି କହିଛନ୍ତି ଯେ, ବାବା ସାହେବ ଆମ୍ବେଦକର ଓ ଭଗତ ସିଂ ଅନନ୍ୟ ବ୍ୟକ୍ତିତ୍ୱ ଥିଲେ । ଉଭୟଙ୍କ ରାସ୍ତା ଅଲଗା ଥିଲା କିନ୍ତୁ ଲକ୍ଷ୍ୟ ଗୋଟିଏ ଥିଲା । ସେମାନଙ୍କର ବଳିଦାନ ଭୁଲିହେବ ନାହିଁ । କିଛିଦିନ ପୂର୍ବରୁ ସେ ଦିଲ୍ଲୀର ସରକାରୀ କାର୍ଯ୍ୟାଳୟରେ ଏହି ଦୁଇ ମହାନାୟକଙ୍କ ଫଟୋ ଲଗାଇବାକୁ ଘୋଷଣା କରିଥିଲେ । ପଞ୍ଜାବରେ ସରକାର ଆସିଲେ ଦୁଇ ମହାପୁରୁଷଙ୍କ ଫଟୋ ସରକାରୀ କାର୍ଯ୍ୟାଳୟରେ ଲଗାଯିବ ବୋଲି କେଜ୍ରିଓ୍ୱାଲ କହିଛନ୍ତି ।





