ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପାକିସ୍ତାନରେ ଗୁରୁତର ଆର୍ଥିକ ବିପର୍ଯ୍ୟୟ । ଏଲପିଜି ସିଲିଣ୍ଡର ପିଛା ୯୨୪ ଟଙ୍କା ବୃଦ୍ଧି । ତେବେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏହି ପଡ଼ୋଶୀ ଦେଶରେ ଏବେ ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବା ବେଳେ ପାକିସ୍ତାନର ତୈଳ ଓ ଗ୍ୟାସ ନିୟାମକ ପ୍ରାଧିକରଣ (ଓଗ୍ରା) ଏପ୍ରିଲ ମାସ ପାଇଁ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ ପ୍ରାୟ ୩୫ ପ୍ରତିଶତ ବୃଦ୍ଧି ଘୋଷଣା କରିଛି । ଏହି ନିଷ୍ପତ୍ତି ପରେ ୧୧.୮ କିଲୋଗ୍ରାମ ବିଶିଷ୍ଟ ପ୍ରତି ସିଲିଣ୍ଡରର ମୂଲ୍ୟ ୯୨୪ ପାକିସ୍ତାନୀ ଟଙ୍କା ବୃଦ୍ଧି ପାଇ ମୋଟ ୩,୫୮୮.୬୦ ଟଙ୍କାରେ ପହଞ୍ଚିଛି, ଯାହା ମାର୍ଚ୍ଚ ମାସରେ ୨,୬୬୪.୮୮ ଟଙ୍କା ଥିଲା। ଏହି ଅପ୍ରତ୍ୟାଶିତ ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ପକେଟ ଉପରେ ଶକ୍ତ ଆଘାତ ଦେଇଛି । ଓଗ୍ରାର ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଏଲପିଜିର କିଲୋଗ୍ରାମ ପିଛା ମୂଲ୍ୟ ଏବେ ୨୨୫.୮୪ ଟଙ୍କାରୁ ବୃଦ୍ଧି ପାଇ ୩୦୪.୧୫ ଟଙ୍କା ସ୍ଥିର କରାଯାଇଛି। ପାକିସ୍ତାନ ନିଜର ଶକ୍ତି ଆବଶ୍ୟକତା ପାଇଁ ଅତ୍ୟଧିକ ଭାବେ ବୈଦେଶିକ ଆମଦାନୀ ଉପରେ ନିର୍ଭରଶୀଳ ।
ଦେଶର ପ୍ରାୟ ୮୦ ରୁ ୮୫ ପ୍ରତିଶତ ତୈଳ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ ଓ କୁୱେତ ଭଳି ଉପସାଗରୀୟ ଦେଶରୁ ଆସିଥାଏ। ଏହି ସମସ୍ତ ପରିବହନ ”ହର୍ମୁଜ ପ୍ରଣାଳୀ” ଦେଇ ହେଉଥିବା ବେଳେ ବର୍ତ୍ତମାନର ଯୁଦ୍ଧ କାରଣରୁ ଏହି ପଥ ଅଶାନ୍ତ ହୋଇପଡ଼ିଛି ।




