ପାକିସ୍ଥାନକୁ ଧମକ ଦେଲା ବିଷ୍ଣୋଇ ଗ୍ୟାଙ୍ଗ; କହିଲେ ଏପରି ବ୍ୟକ୍ତିକୁ ମାରିବୁ ଯିଏ ୧ ଲକ୍ଷ ଲୋକଙ୍କ ସଙ୍ଗେ ସମାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାକିସ୍ଥାନକୁ ଧମକ ଦେଲା ବିଷ୍ଣୋଇ ଗ୍ୟାଙ୍ଗ । ଆତଙ୍କବାଦୀ ହାଫିଜ ସଇଦ ଫଟୋରେ ଲଗାଇଲା ‘କ୍ରସ୍’ । ସୋସିଆଲ ମିଡିଆରେ ଏକ ପୋଷ୍ଟ ସାମ୍ନାକୁ ଆସିଛି। ଏଥିରେ ଆତଙ୍କବାଦୀ ହାଫିଜ ସଇଦର ଫଟୋରେ ଲାଲ ଛକ ଚିହ୍ନ ଲଗାଇ ଲେଖିଛି ‘ତୁମେ ଆମର ନିର୍ଦ୍ଦୋଷ ଲୋକଙ୍କୁ ମାରିଛ ଏବେ ଆମେ ପାକିସ୍ତାନରେ ପଶି ଏକ ଏପରି ବ୍ୟକ୍ତିକୁ ମାରିବୁ ଯିଏ ୧ ଲକ୍ଷ ଲୋକଙ୍କ ସଙ୍ଗେ ସମାନ’। ଏହି ପୋଷ୍ଟକୁ ବିଷ୍ଣୋଇ ଗ୍ୟାଙ୍ଗ ଜାରି କରିଛି କି ନା ତାହା ଏପର୍ଯ୍ୟନ୍ତ ଅଧିକାରୀକ ପୁଷ୍ଟି ହୋଇ ନାହିଁ। ହେଲେ ସୋସିଆଲ ମିଡିଆରେ ଏହି ପୋଷ୍ଟ ଦ୍ରୁତ ଭାଇରାଲ ହେବାରେ ଲାଗିଛି।

ତେବେ ବିଷ୍ଣୋଇ ଗ୍ୟାଙ୍ଗର ଏହି ଧମକ ଏବେ ନୂଆ ମୋଡ଼ ନେଇଛି। ଉଲ୍ଲେଖଯୋଗ୍ୟ ଯେ ହାଫିଜ ସଇଦ ଲସ୍କର-ଏ-ତୌୟବାର ସଂସ୍ଥାପକ ଏବଂ ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ। ଏଥିରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଧମକ ଚର୍ଚ୍ଚାକୁ ନୂଆ ଖୋରାକ ଯୋଗାଇଛି। ତେବେ ଲରେନ୍ସ ବିଷ୍ଣୋଇ ଏବେ ଗୁଜରାଟର ଏକ ଜେଲରେ ଅଛି। ହେଲେ ତା ଗ୍ୟାଙ୍ଗ ସାରା ଦେଶରେ କାମ କରୁଛି। ଏହି ଗ୍ୟାଙ୍ଗ ଅପହରଣ କରି ଟଙ୍କା ମାଗିବା, ସୁପାରି କିଲିଂ ଓ ହାଇ ପ୍ରୋଫାଇଲ ହତ୍ୟାକାଣ୍ଡ କରୁଛି। ଏହି ଗ୍ୟାଙ୍ଗ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାକୁ ହତ୍ୟା କରିଥିଲା। ନିକଟରେ ବଲିଉଡ ଅଭିନେତା ସଲମାନ ଖାନ ଘର ଉପରକୁ ଗୁଳି ଚଳାଇବା ଓ ବାବା ସିଦ୍ଦିକୀ ହତ୍ୟା ଉଦ୍ୟମ ମଧ୍ୟ ଏହି ଗ୍ୟାଙ୍ଗ ନାମରେ ଆସିଛି।ଅନ୍ୟପଟେ ପାକିସ୍ତାନକୁ ଦିଆଯାଇଥିବା ଏହି ଧମକ ଦେଶରେ ସୁରକ୍ଷା ଏଜେନ୍ସୀଙ୍କୁ ଆଲର୍ଟ ମୋଡକୁ ନେଇ ଆସିଛି। ଏହି ପୋଷ୍ଟ କେତେ ଅସଲୀ ଏହାର ସତ୍ୟତା ଯାଞ୍ଚ ହେବା ପରେ ଯାଇ ଜଣାପଡିବ। ହେଲେ ଏହି ପୋଷ୍ଟରେ ହାଫିଜ ସଇଦକୁ ଯେପରି ଟାର୍ଗେଟ୍ କରାଯାଇଛି ଏଥିରୁ ଜଣାପଡୁଛି ଏହି ପୋଷ୍ଟ କେବଳ ସୋସିଆଲ ମିଡିଆ ପର୍ଯ୍ୟନ୍ତ ସୀମିତ ରହିବନି।

Related Posts