ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ କମ୍ପିଲା ଗୃହ; ନିନ୍ଦା ପ୍ରସ୍ତାବ ପାରିତ କରିବାକୁ ଦାବି କଲା ବିଜେଡି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ବିଜେପି ସାଂସଦ ନିଶିକାନ୍ତ ଦୁବେ ରଖିଥିବା ବୟାନକୁ ନେଇ ସଂସଦରୁ ସଡକ ବିରୋଧ ଦେଖିବାକୁ ମିଳିଛି । ନିନ୍ଦା ପ୍ରସ୍ତାବ ପାରିତ କରିବାକୁ ଦାବି କଲା ବିଜେଡି । ତେବେ ଆଜି ବିରୋଧୀ ଦଳ ସଦସ୍ୟମାନେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ପ୍ରସଙ୍ଗ ଉଠାଇ ନଥିଲେ। ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ଗୃହ ମଧ୍ୟ ଭାଗକୁ ମାଡ଼ି ଆସି ବିଜୁ ବାବୁଙ୍କ ପ୍ରତି ବିଜେପି ସାଂସଦଙ୍କ ମନ୍ତବ୍ୟକୁ କଡ଼ା ନିନ୍ଦା କରିଥିଲେ। ନିନ୍ଦା ପ୍ରସ୍ତାବ ପାରିତ ଦାବିରେ ନାରାବାଜି କରିଥିଲେ। ବିଜେପି ବିରୋଧରେ ସ୍ଲୋଗାନ୍ ଦେଇଥିଲେ। ଗୃହରେ ଅସ୍ବାଭାବିକ ସ୍ଥିତି ସୃଷ୍ଟି ହେବାରୁ ବାଚସ୍ପତି ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଲେ। ୧୧ଟା ୩୦ରେ ଶୂନ୍ୟକାଳ ଆରମ୍ଭ ହେଲା ପରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଲେ, ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ବିଜେପିର ଜଣେ ସାଂସଦ ଅସତ୍ୟ ଓ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଛନ୍ତି।

ସେ ବିଜୁ ବାବୁଙ୍କ ଅପମାନ କରିବା ଅର୍ଥ ଓଡ଼ିଆ ଜାତିକୁ ଅପମାନିତ କରିବା। ଏହା ଦ୍ବାରା ଓଡ଼ିଆଙ୍କ ସ୍ବାଭିମାନ ଓ ଅଭିମାନ ଉପରେ ପ୍ରଚଣ୍ଡ ଆଘାତ ହୋଇଛି। ଦେଶର ରାଜଧାନୀରେ ଜଣେ ବ୍ୟକ୍ତି ଓଡ଼ିଆ ଜାତିର ସ୍ବାଭିମାନକୁ ଆଘାତ ଦେଲା ପରେ ଏ ଜାତି ନିରବ ରହିପାରିବନି। ଏ ଗୃହ ଓଡ଼ିଶାର ସ୍ବାଭିମାନର ପ୍ରତୀକ। ତେଣୁ ଗୃହରେ ସର୍ବସମ୍ମତକ୍ରମେ ନିନ୍ଦା ପ୍ରସ୍ତାବ ପାରିତ ହେଉ। ଯଦି ଆମେ ଆଜି ନିନ୍ଦା ନ କରିବା, ତେବେ ଭବିଷ୍ୟତରେ ଓଡ଼ିଆ ଜାତି ଆମକୁ କ୍ଷମା ଦେବ ନାହିଁ। ଏ ଗୃହ ଅସତ୍ୟ ଓ ପାଗଳର ପ୍ରଳାପକୁ ନିନ୍ଦା କରୁ। ସେପଟେ ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ, ବର୍ତ୍ତମାନ କିଛି ରାଜନେତାଙ୍କୁ ଶିଷ୍ଟାଚାର ଜଣା ନାହିଁ। ନିଶିକାନ୍ତ ଦୁବେଙ୍କର ଜ୍ଞାନ କମ୍। ସେ ଆନ୍ତର୍ଜାତିକ ରାଜନୀତି ବିଷୟରେ କିଛି ଜାଣି ନାହାନ୍ତି। ବିନା କୌଣସି ପୃଷ୍ଠଭୂମିରେ ହଠାତ୍‌ ସେ ଏପରି ମନ୍ତବ୍ୟ ଦେଲେ। ଏହା କେବଳ କୁତ୍ସିତ ମାନସିକତା।

ଯଦି ମୁଖ୍ୟମନ୍ତ୍ରୀ ଏହାକୁ ନିନ୍ଦା ନ କରନ୍ତି, ତେବେ ଧରିନେବାକୁ ହେବ ଯେ ବିଜେପି ପକ୍ଷରୁ ବିଜୁ ପଟ୍ଟନାୟକଙ୍କୁ ଗାଳି କରିବା ପାଇଁ ଏହା ପ୍ରାୟୋଜିତ ଥିଲା। ଯଦି ଏହି ଅଧିବେଶନରେ ଏହାକୁ ନିନ୍ଦା ନ କରାଯାଏ, ତେବେ ବିଧାନସଭା ଇତିହାସରେ ଏହା କଳଙ୍କ ହୋଇ ରହିବ। ପ୍ରମିଳା ମଲ୍ଲିକ ମଧ୍ୟ ଘଟଣାକୁ ନିନ୍ଦା କରି ବିଜେପିର ୨୦ ଜଣ ସାଂସଦ କାହିଁକି ପ୍ରତିବାଦ କରୁ ନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଲେ, ବିଜୁ ପଟ୍ଟନାୟକଙ୍କର ଏ ଜାତି ପ୍ରତି ବହୁତ ଅବଦାନ ରହିଛି। ତାଙ୍କ ପ୍ରତି ଏପରି ମନ୍ତବ୍ୟ ଦେଇ ବିଜେପି ସାଂସଦ ନିଶିକାନ୍ତ ଦୁବେ ଏ ଜାତିର ଅସ୍ମିତା ଉପରେ ପ୍ରହାର କରିଛନ୍ତି।ନିଶିକାନ୍ତଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରାଯାଉ। ସିପିଆଇ(ଏମ୍) ବିଧାୟକ ଲକ୍ଷ୍ମଣ ମୁଣ୍ଡା ମଧ୍ୟ ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟକୁ ନିନ୍ଦା କରିଥିଲେ।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ, ଜାତି, ଧର୍ମ, ଦଳମତ ନିର୍ବିଶେଷରେ ବିଜୁ ବାବୁ ଆମର ସ୍ବାଭିମାନ। ଜଣେ କର୍ପୋରେଟ୍ ଦଲାଲ ଯାହା କହିଛି, ତାହାକୁ ସମସ୍ତେ ନିନ୍ଦା କରିବା ଉଚିତ ବୋଲି କହିଛନ୍ତି।

Related Posts