ବର୍ତ୍ତମାନ ରାଜ୍ୟରେ ନାଇଟ୍ କର୍ଫ୍ୟୁ କି ଲକଡାଉନ୍ ଭଳି କଟକଣାର ଆବଶ୍ୟକତା ନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ସତ୍ୟପାଠ 27/12 ଭୁବନେଶ୍ୱର: ଅନ୍ୟ ରାଜ୍ୟ ତୁଳନାରେ ଏବେ ଓଡ଼ିଶାର ସ୍ଥିତି ଭଲ ଅଛି । ତେଣୁ ନାଇଟ୍ କର୍ଫ୍ୟୁ କି ଲକଡାଉନ ଭଳି କଟକଣାର କିଛି ଆବଶ୍ୟକତା ନାହିଁ। କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଟେଷ୍ଟ ପଜିଟିଭ୍ ହାର ଦଶ ପ୍ରତିଶତ ଉପରେ ରହିଲେ, ହସ୍ପିଟାଲାଇଜେସନ ଆବଶ୍ୟକ ପଡ଼ିପାରେ, ସେହିପରି ରାଜ୍ୟରେ ସଂକ୍ରମଣ ବଢ଼ିଲେ ଲକଡାଉନ ଭଳି ନିୟମର ଆବଶ୍ୟକ ପଡ଼ିପାରେ ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେପଟେ ଓମିକନକୁ ନେଇ ସେ କହିଛନ୍ତି, ଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବିଦେଶରୁ ରାଜ୍ୟକୁ ଫେରିଥିବା ୧୮ ଜଣଙ୍କ କରୋନା ପଜିଟିଭ ବାହାରିଥିଲା। ସେମାନଙ୍କ ମଧ୍ୟରେ ୮ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଗଞ୍ଜାମର ଜଣେ ୯ବର୍ଷର ଶିଶୁ ଥିବା ଜଣାପଡ଼ିଥିଲା। ସେ ନାଇଜେରିଆରୁ ଫେରି ଓମିକ୍ରନ ଆକ୍ରାନ୍ତ ହୋଇଥିଲେ। ଏବେ ସେ ସୁସ୍ଥ ହୋଇ ଫେରିଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଅନ୍ୟପକ୍ଷରେ, ଜାନୁଆରି ୩ ତାରିଖରୁ ୧୫ରୁ ୧୮ବର୍ଷ ମଧ୍ୟରେ ପିଲାଙ୍କୁ ପ୍ରଥମ ଡୋଜ୍ ଏବଂ ଜାନୁଆରି ୧୦ରୁ ସ୍ବାସ୍ଥ୍ୟ କର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ସ୍ବାସ୍ଥ୍ୟ ସମସ୍ୟା ଥିବା ୬୦ବର୍ଷରୁ ଅଧିକ ବୟସର ଲୋକଙ୍କୁ ବୁଷ୍ଟର ଡୋଜ୍ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଜାନୁଆରି ୩ରୁ ୧୫ରୁ ୧୮ବର୍ଷ ମଧ୍ୟରେ ଥିବା ପ୍ରାୟ ୨୫ଲକ୍ଷ ପିଲାଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯିବ। କମ୍ ଦିନରେ ଯେପରି ଅଧିକ ପିଲାଙ୍କୁ ଟିକା ଦିଆଯିବ ସେଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ଏହି ବର୍ଗର ପିଲା ଏବେ ସ୍କୁଲ, କଲେଜ ଯାଉଥିବାରୁ ସେଠାରେ ଶିବିର ଆୟୋଜନ କରି ଟିକା ଦିଆଯିବ। ଏହାବାଦ୍ ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକା ଦେବାର ବ୍ୟବସ୍ଥା ମଧ୍ୟ କରାଯିବ। ଏଥିପାଇଁ ସ୍ବାସ୍ଥ୍ୟକର୍ମୀଙ୍କ ଟିମ୍କୁ ପ୍ରସ୍ତୁତ କରାଯାଇଛି। ସେହିପରି ତୃତୀୟ ଡୋଜ୍ ବା ବୁଷ୍ଟର ଡୋଜ୍ ଦେବା ପାଇଁ ଏବେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି। ଏଥିରେ ୩ଲକ୍ଷରୁ ଅଧିକ ସ୍ବାସ୍ଥ୍ୟକର୍ମୀ, ସାଢେ ୩ଲକ୍ଷରୁ ଅଧିକ ସମ୍ମୁଖ ଯୋଦ୍ଧାଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ। ପ୍ରାୟ ୫୪ଲକ୍ଷ ଲୋକ ୬୦ବର୍ଷରୁ ଅଧିକ ବର୍ଗରେ ଥିବାବେଳେ ସେମାନଙ୍କ ମଧ୍ୟରୁ ଯେଉଁମାନେ ଜଟିଳ ବା ଏକାଧିକ ରୋଗରେ ଆକ୍ରାନ୍ତ ଥିବେ ସେମାନଙ୍କୁ ଚିହ୍ନଟ କରି ବୁଷ୍ଟର ଡୋଜ୍ ଦିଆଯିବ। ଟିକାକରଣରେ ଯେପରି କୌଣସି ସମସ୍ୟା ହେବନି ସେଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି।

Related Posts