ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିହାର ବିଧାନସଭା ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା । ତେବେ ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ ବିହାର ବିଧାନସଭାରେ ଥିବା ୨୪୩ ବିଧାୟକଙ୍କ ମଧ୍ୟରୁ ମୋଟ ୭୦ ଜଣ ( ୨୮.୮୧ ପ୍ରତିଶତ) ବଂଶବାଦୀ ପୃଷ୍ଠଭୂମିରୁ ଆସିଛନ୍ତି। ଏ କ୍ଷେତ୍ରରେ ରାଷ୍ଟ୍ରୀୟ ଜନତା ଦଳ ସବୁଠାରୁ ଆଗରେ ଅଛି । RJDର ୭୧ ବିଧାୟକଙ୍କ ମଧ୍ୟରୁ ୩୦ ଜଣ ବଂଶଗତ ପୃଷ୍ଠଭୂମିରୁ ଆସୁଛନ୍ତି, ଯାହାକି ଦଳର ବର୍ତ୍ତମାନର ବିଧାୟକଙ୍କ ଭିତରୁ ୪୨.୨୫ ପ୍ରତିଶତ ।ତେବେ ବିହାରର ଏହି ବଂଶବାଦୀ ନେତାମାନଙ୍କ ମଧ୍ୟରେ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଏବଂ ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଯାଦବଙ୍କ ଭଳି ପ୍ରମୁଖ ବ୍ୟକ୍ତିତ୍ୱ ଅନ୍ତର୍ଭୁକ୍ତ ଅଛନ୍ତି ।
ଏହାବ୍ୟତୀ ବିଦାୟୀ ବିଧାନସଭାରେ ଆରଜେଡିର ଅତି କମରେ ସାତ ଜଣ ପରିବାର ସଦସ୍ୟ ଅଛନ୍ତି ଯାହାଙ୍କ ପରିବାରର ସଦସ୍ୟ ପୂର୍ବରୁ ମନ୍ତ୍ରୀ ଭାବରେ କାର୍ୟ୍ୟ କରିଛନ୍ତି। ବଂଶବାଦୀ ବିଧାୟକଙ୍କ ଏହି ତାଲିକାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତନ ରାମ ମାଞ୍ଝିଙ୍କ ବୋହୂ ଦୀପା ମାଞ୍ଝି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ର ଏବଂ ହରିହର ସିଂହଙ୍କ ପୁଅ ମଧ୍ୟ ଅଛନ୍ତି ।ମିଳିଥିବା ସୂଚନା ମୁତାବକ, ଜନତା ଦଳ ୟୁନାଇଟେଡ୍ ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ିନି । ବର୍ତ୍ତମାନ ବିହାରରେ ଜେଡିୟୁର ୪୪ ଜଣ ବିଧାୟକଙ୍କ ମଧ୍ୟରୁ ୧୬ ଜଣ ( ୩୬.୩୬ ପ୍ରତିଶତ) ବଂଶବାଦୀ ପରମ୍ପରାରୁ ଆସିଛନ୍ତି । ସେହିପରି କଂଗ୍ରେସର ୧୯ ଜଣ ବିଧାୟକଙ୍କ ମଧ୍ୟରୁ ଚାରି ଜଣ ( ୨୧.୨୫ ପ୍ରତିଶତ) ବିଧାୟକ ବଂଶବାଦୀ ବୋଲି ସୂଚନା ମିଳିଛି ।





