ବିହାର ବିଧାନସଭା ନିର୍ବାଚନ; ବିହାର ନିର୍ବାଚନ ପୂର୍ବରୁ ୬ ଜିଲ୍ଲା ବିଜେପି ମୁକ୍ତ, ନାହାନ୍ତି କେହି ବିଜେପି ପ୍ରାର୍ଥୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିହାର ବିଧାନସଭା ନିର୍ବାଚନକୁ ନେଇ ସାରା ଦେଶର ନଜର ଏବେ ବିହାର ଉପରେ ରହିଛି । ବିହାରର ୨୪୩ ବିଧାନସଭା ଆସନ ମଧ୍ୟରୁ ବିଜେପି ୧୦୧ ଟି ଆସନରେ ନିର୍ବାଚନ ଲଢ଼ିବାକୁ ଯାଉଛି । ଏହି ୧୦୧ ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା ମଧ୍ୟ କରିସାରିଛି । ଏବେ ସମସ୍ତଙ୍କ ନଜର ୬ ଓ ୧୧ ତାରିଖ ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ମତଦାନ ଉପରେ । ହେଲେ ତା ଭିତରେ ଏକ ରୋଚକ ଖବର ସାମ୍ନାକୁ ଆସିଛି । ଏହି ଖବର ମୁତାବକ ମତଦାନ ପୂର୍ବରୁ ବିହାର ୬ ଜିଲ୍ଲା ବିଜେପି ମୁକ୍ତ ହୋଇଛି ।

ତେବେ ବିହାର ବିଧାନସଭାର ମୋଟ ୨୪୩ ବିଧାନସଭା ଆସନ ମଧ୍ୟରୁ ବିଜେପି ୧୦୧ ଆସନରେ ଲଢ଼ୁଛି । ହେଲେ ଏହି ୧୦୧ ଆସନ ଲଢ଼ିବା ଭିତରେ ରାଜ୍ୟର ୬ ଟି ଜିଲ୍ଲାରେ ବିଜେପି ପ୍ରାର୍ଥୀ ଦେଇନାହିଁ । ଅର୍ଥାତ ଏହି ୬ ଜିଲ୍ଲାର ସମସ୍ତ ଆସନରେ ଇଣ୍ଡିଆ ମେଣ୍ଟକୁ ଟକ୍କର ଦେଉଛନ୍ତି ବିଜେପିର ସହଯୋଗୀ ଦଳମାନଙ୍କର ପ୍ରାର୍ଥୀ । ଏହି ୬ ଜିଲ୍ଲା ମଧ୍ୟରେ ରହିଛି ମଧେପୁରା, ଖଗାଡିଆ, ଶେଖପୁରା, ଶିହର, ଜହାନାବାଦ ଓ ରୋହତାସ ।

ଏହାର ଅର୍ଥ ହେଉଛି ଏହି ୬ ଜିଲ୍ଲାରେ ବିଜେପିର କୌଣସି ପ୍ରାର୍ଥୀ ନିର୍ବାଚନ ଲଢ଼ୁ ନାହାନ୍ତି । ସେହିଭଳି କିଛି ଜିଲ୍ଲାରେ ବିଜେପି କେବଳ ଗୋଟିଏ ଗୋଟିଏ ଆସନରେ ପ୍ରାର୍ଥୀ ଦେଇଛି । ସେସବୁ ଜିଲ୍ଲା ଭିତରେ ରହିଛି ସହରସା, ଲଖିସରାଇ, ନାଳନ୍ଦା, ବକ୍ସର, ଜମ୍ମୁଇ । ସେପଟେ ବିଜେପି କହିଛି କି, ଦଳ ନିଜର ଆସନ ସଂଖ୍ୟା କମ୍ କରି ଏସବୁ ଜିଲ୍ଲାରେ ସହଯୋଗୀ ଦଳମାନଙ୍କୁ ଲଢ଼ିବାର ସୁଯୋଗ ଦେଇଛି । ଚଳିତ ନିର୍ବାଚନ ନୁହେଁ ବରଂ ୨୦୨୦ ବିଧାନସଭା ନିର୍ବାଚନରେ ବିହାରର ୫ ଟି ଜିଲ୍ଲାରେ ବିଜେପି ପ୍ରାର୍ଥୀ ଦେଇନଥିଲା । ବିଜେପି ନେତାଙ୍କ କହିବା ମୁତାବକ ବିହାରରେ ବିଜେପି ତାର ସହଯୋଗୀ ଦଳମାନଙ୍କୁ ପ୍ରାଥମିକତା ଦେଇଛି ।

Related Posts