ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିହାର ବିଧାନସଭା ନିର୍ବାଚନକୁ ନେଇ ସାରା ଦେଶର ନଜର ବିହାର ଉପରେ ରହିଛି । ଏହା ମଧ୍ୟରେ ଏନଡିଏ ଆଜି ନିର୍ବାଚନୀ ଇସ୍ତାହାର ଜାରି କରିଛି । ଏନଡିଏ ପୁଣି ରାଜ୍ୟରେ କ୍ଷମତା ଦଖଲ କଳେ ବିପୁଳ ସଂଖ୍ୟାରେ ନିଯୁକ୍ତି ଠାରୁ ଆରମ୍ଭ କରି ମହିଳା ସଶକ୍ତୀକରଣ ଓ ବିଭିନ୍ନ କ୍ଷେତ୍ରରେ କଲ୍ୟାଣମୂଳକ ଯୋଜନା ଲାଗୁ କରିବ ବୋଲି କହିଛି। ତେବେ ଏନଡିଏ ୧ କୋଟି ଚାକିରି ଓ ବିପୁଳ ସଂଖ୍ୟାରେ କର୍ମନିଯୁକ୍ତି, ଲକ୍ଷପତି ଦିଦି ଓ ମିସନ କୋଟିପତି, ୧୨୫ ୟୁନିଟ୍ ଯାଏ ମାଗଣା ବିଜୁଳି, ୫ ଲକ୍ଷ ପର୍ୟ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା, ଅତ୍ୟନ୍ତ ପଛୁଆ ବର୍ଗଙ୍କୁ ଅଧିକ ସଂରକ୍ଷଣ ଓ ସହାୟତା, ମାଗଣା ଓ ଉତ୍ତମ ସ୍କୁଲ, ଏକ୍ସପ୍ରେସୱେ, ରେଳ ଓ ମେଟ୍ରୋ ସମ୍ପ୍ରସାରଣ, ପ୍ରତିଟି ଜିଲ୍ଲାରେ କାରଖାନା ପ୍ରତିଷ୍ଠା, ଗରିବଙ୍କ ପାଇଁ ପଞ୍ଚାମୃତ ଗ୍ୟାରେଣ୍ଟି, ଯୋଗ୍ୟ ପରିବାରକୁ ସାମାଜିକ ସୁରକ୍ଷା ପେନସନ୍, କର୍ପୂରୀ ଠାକୁର କିଷାନ ସମ୍ମାନ ନିଧି, ବିହାର ଦୁଗ୍ଧ ଓ ମତ୍ସ୍ୟ ମିସନ ଏପରି ଅନେକ ନିର୍ବାଚନୀ ଇସ୍ତାହାରରେ ପ୍ରକାଶ କରିଛି । ସେହିପରି ମହାଗଠବନ୍ଧନ ଘୋଷଣା କରିଛି ଯେ ୨୦ ମାସ ଭିତରେ ପ୍ରତ୍ୟେକ ପରିବାରର ଜଣଙ୍କୁ ସରକାରୀ ଚାକିରି, ମାଇବେହେନ ଯୋଜନାରେ ମହିଳାଙ୍କୁ ମାସକୁ ଅଢ଼େଇ ହଜାର, ପ୍ରତି ଘରକୁ ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍, ପ୍ରତି ନାଗରିକଙ୍କ ନିମନ୍ତେ ୨୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା, ଦୁର୍ନୀତିମୁକ୍ତ ବିହାର ଗଠନ, ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସୁରକ୍ଷା, ପ୍ରତିଯୋଗିତାମୂଳକ ପରୀକ୍ଷାରେ ମାଗଣା ଫର୍ମ ଓ ଖର୍ଚ୍ଚ, ମନରେଗା ଶ୍ରମିକଙ୍କୁ ଦୈନିକ ୩୦୦ ଟଙ୍କା ପାରିଶ୍ରମିକ, ବର୍ଷକୁ ଅତିକମ୍ରେ ୨୦୦ ଦିନ କର୍ମଯୋଗାଣ, ଦିବ୍ୟାଙ୍ଗଙ୍କୁ ମାସିକ ୩ ହଜାର ଟଙ୍କା ପ୍ରଦାନ, ସଂରକ୍ଷଣ ସୀମା ୫୦%ରୁ ୬୦%କୁ ବୃଦ୍ଧି, ପୁରୁଣା ପେନସନ ଯୋଜନା ଲାଗୁ, ଚୁକ୍ତିଭିତ୍ତିକ ଚାକିରି ବଦଳରେ ସ୍ଥାୟୀ ଚାକିରି ଦେବା ।





