ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ବେଆଇନ ଖଣି ଲିଜଧାରୀଙ୍କଠାରୁ ୨୭୦୦ କୋଟି ଟଙ୍କାର କ୍ଷତିପୂରଣ ଆଦାୟରେ ବିଳମ୍ବ ପାଇଁ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ କଲେ ଭର୍ତ୍ସନା । ତେବେ ଜଷ୍ଟିସ୍ ଦୀପଙ୍କର ଦତ୍ତା ଏବଂ ଜଷ୍ଟିସ୍ ଏଜି ମସିହଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ସୁପ୍ରିମକୋର୍ଟଙ୍କ ୨୦୧୭ ରାୟ ଅନୁଯାୟୀ ଲାଗୁ ହୋଇଥିବା ବକେୟା ଆଦାୟ ନ ଦେବା ସମ୍ପର୍କିତ ଏକ ଆବେଦନର ଶୁଣାଣି କରିଥିଲେ । ଯେଉଁଠି କେନ୍ଦୁଝର, ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟ କରୁଥିବା ବେଆଇନ ଲିଜଧାରୀମାନଙ୍କଠାରୁ କ୍ଷତିପୂରଣ ଆଦାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ଶୁଣାଣି ସମୟରେ ଉପସ୍ଥିତ ଓକିଲ ପ୍ରଶାନ୍ତ ଭୂଷଣ ଅଭିଯୋଗ କରିଥିଲେ ଯେ ଦୀର୍ଘ ସମୟ ଧରି କୌଣସି ପଦକ୍ଷେପ ନନେବା ଏହା ରାଜ୍ୟ କର୍ତ୍ତୃପକ୍ଷ ଓ ଲିଜଧାରୀଙ୍କ ମଧ୍ୟରେ ଆପସ ବୁଝାମଣା ବୋଲି ମନେ ହେଉଛି ।
ସେପଟେ ବିନା ସୁଧରେ 31 ଡିସେମ୍ବର 2017 ସୁଦ୍ଧା ଟଙ୍କା ଦେବାକୁ ପଡିବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଏହା ସୁଧ ସହିତ, ପ୍ରାୟ ଦୁଇଗୁଣ ହେବ ବୋଲି ସୂଚନା ମିଳିଛି । ଅନ୍ୟପଟେ ଏହାର ଜବାବରେ, ଓଡ଼ିଶାର ଆଡଭୋକେଟ୍ ଜେନେରାଲ କୌଣସି ପ୍ରକାରର ମିତ୍ରତାକୁ ଅସ୍ୱୀକାର କରିଥିଲେ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟ ସଚିବ ଏବଂ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ଚାରି ସପ୍ତାହ ସମୟ ମାଗିଥିଲେ। ଏହା ସହ ଆଇନ ଅନୁଯାୟୀ ଯେକୌଣସି ଆଇନଗତ ପଦକ୍ଷେପ ଆବଶ୍ୟକ ତାହା ମୁଁ ଗ୍ରହଣ କରିବି ବୋଲି କହି ଏଜି କୋର୍ଟଙ୍କୁ ଆଶ୍ୱାସନା ଦେଇଥିଲେ।





