ବୌଦ୍ଧ ଜିଲ୍ଲା ମହାନଦୀ ବ୍ରିଜ ଉପରେ ଘଟିଛି ଅଭାବନୀୟ ଓ ହୃଦୟ ବିଦାରକ ଦୁର୍ଘଟଣା | ମହାନଦୀ ବ୍ରିଜ ଉପରରେ ଦୁଇ ସାଙ୍ଗ ଏକ ସାଇଡରେ ସ୍କୁଟି ରଖି ତା’ ଉପରେ ଦୁଃଖସୁଖ ହେଉଥିବା ସମୟରେ ହଟାତ ତାଙ୍କ ଆଡକୁ ମାଡି ଆସିଥିଲା ମୃତ୍ୟୁ | ଏକ କାର୍ ମାଡ଼ି ଆସି ୨ ସାଙ୍ଗଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଛି | ମୃତ ୨ ସାଙ୍ଗ ହେଲେ ବୌଦ୍ଧ ସହର ବୁଟୁପାଲିର ମୋତିଲାଲ ଯୋଶୀରା ଓ ଅଭିଷେକ ସାହୁ । ଏହି ଦୁର୍ଘଟଣାରେ ଆଉ ଜଣେ ଗୁରୁତର ହୋଇଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ପରେ ରେଢ଼ାଖୋଲ ପଟୁ ବୌଦ୍ଧ ଅଭିମୁଖେ ଦ୍ରୁତ ଗତିରେ ଏକ କାର୍ ଯାଉଥିଲା। ଏହି ସମୟରେ ରାସ୍ତାର ବିପରୀତ ଦିଗରେ ଏକ ସ୍କୁଟି ଉପରେ ମୋତିଲାଲ ଓ ଅଭିଷେକ ବସିଥିଲେ। ଏହି ସମୟରେ ହଠାତ୍ କାର୍ଟି ବାମ ପଟୁ ଡାହଣ ପଟକୁ ମାଡ଼ି ଆସିଥିଲା। କାର୍ଟି ପ୍ରଥମେ ଜଣେ ବାଇକ୍ ଚାଳକଙ୍କୁ ଧକ୍କା ଦେଇଥିଲା। ଏହାପରେ କାର୍ଟି ବ୍ରିଜ୍ ବାଡ଼ାରେ ପିଟି ହୋଇ ସ୍କୁଟି ଉପରେ ବସିଥିବା ୨ ସାଙ୍ଗଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଭୟଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ବାଇକ୍ ଚାଳକଙ୍କୁ ପ୍ରଥମେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି।
ଏଥିଯୋଗୁ ବ୍ରିଜ ଉପରେ ଦୀର୍ଘ ସମୟ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ଖବର ପାଇ ବୌଦ୍ଧ ପୁଲିସ୍ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ୩ଟିକୁ ଜବତ କରିଛି । ଏଥିସହ ଗାଡ଼ି ଚଳାଚଳକୁ ସ୍ୱାଭାବିକ କରିଛି।





