ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତର ଉତ୍ତର-ପୂର୍ବ ରାଜ୍ୟକୁ ବାଂଲାଦେଶ ମାନଚିତ୍ରରେ ଦର୍ଶାଇ ପାକିସ୍ତାନ ଜେନେରାଲ୍ଙ୍କୁ ଉପହାର ଦେଲେ ବାଂଲାଦେଶ ସରକାରଙ୍କ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ମହମ୍ମଦ ୟୁନୁସ । ଏଥିରେ ସେ ଆସାମ ଓ ଅନ୍ୟ ଉତ୍ତରପୂର୍ବ ରାଜ୍ୟମାନଙ୍କୁ ବାଂଲାଦେଶର ଅଂଶ ଭାବେ ଦର୍ଶାଇଛନ୍ତି। ଏହାକୁ ଇସଲାମିକ୍ ଗୋଷ୍ଠୀର ବୃହତ୍ତର ବାଂଲାଦେଶ ପାଇଁ ଆହ୍ବାନ ସହିତ ସମନ୍ବୟ ରକ୍ଷା କରି କରାଯାଇଛି।
ପାକିସ୍ତାନ ଷ୍ଟାଫ କମିଟି ଅଧ୍ୟକ୍ଷ ଜେନେରାଲ ସାହିର ସାମସାଦ ମିର୍ଜା ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବାକୁ ଗତ ସପ୍ତାହରେ ଢାକା ଆସିଥିବାବେଳେ ରବିବାର ୟୁନୁସଙ୍କୁ ଭେଟିଥିଲେ। ୟୁନୁସ ଏହି ଅବସରରେ ତାଙ୍କୁ ଏକ ପୁସ୍ତକ ପ୍ରଦାନ କରିଥିଲେ। ‘ଆର୍ଟ ଅଫ ଟ୍ରାୟମ୍ଫ’ ପୁସ୍ତକର ପ୍ରଚ୍ଛଦପଟ୍ଟରେ ଏପରି ବିକୃତ ମାନଚିତ୍ର ସ୍ଥାନ ପାଇଥିଲା, ଯାହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ଏହି ଫଟୋ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।





