ମଣିପୁରରେ ଏକାକୀ ଲଢ଼ିବ ବିଜେପି, 60ଟି ସିଟ ପାଇଁ ପ୍ରାର୍ଥୀ ଘୋଷଣା

ମଣିପୁର ବିଧାନସଭା ନିର୍ବାଚନରେ ଏକାକୀ ଲଢିବ ବିଜେପି । କ୍ଷମତାରେ ଥିବା ବିଜେପି ମେଣ୍ଟ ପାଇଁ ବିଫଳ ହୋଇ ଶେଷରେ କାହା ସହ ମେଣ୍ଟ କରିବ ନାହିଁ ବୋଲି କହିଛି । ଫଳରେ ରାଜ୍ୟ ବିଧାନସଭାର ସମସ୍ତ ୬୦ ଆସନରେ ବିଜେପି ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛି। ଏଥିସହ ୬୦ଟି ଯାକ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ମଧ୍ୟ ପ୍ରକାଶ କରିଛି।

ଦଳର ନିଷ୍ପତ୍ତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ନିଜର ପାରମ୍ପରିକ ଆସନ ହେଇନଗାଙ୍ଗରୁ ପ୍ରାର୍ଥୀ ହୋଇଛନ୍ତି। ଏଠାରେ ସେ କ୍ରମାଗତ ଭାବେ ବିଧାନସଭାକୁ ନିର୍ବାଚନ ହେଉଛନ୍ତି। ତେଣୁ ଦଳ ତାଙ୍କୁ ପୁଣି ଏଠାରୁ ପ୍ରାର୍ଥୀ କରିଛି।

ରାଜ୍ୟରେ ବର୍ତ୍ତମାନ କ୍ଷମତାରେ ଥିବା ବିଜେପି ପୁଣି ସରକାର ଗଠନ କରିବ। ବିଧାନସଭା ନିର୍ବାଚନରେ ଦଳ ଦୁଇ ତୃତୀୟାଂଶ ଆସନରେ ଜିତିବ ବୋଲି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସାମ୍ବାଦିକ ସମ୍ମିଳନୀ କରି ଦମ୍ଭୋକ୍ତି କରିଛନ୍ତି।

ମଣିପୁରର ୬୦ ବିଧାନସଭା ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ଭୋଟିଂ ହେବ। ପ୍ରଥମ ପର୍ଯ୍ୟାୟ ମତାଦନ ଫେବୃଆରୀ ୨୭ରେ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମାର୍ଚ୍ଚ ୩ରେ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୦ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Related Posts