ବଢ଼ିଲା ଜମି ଜବରଦଖଲକାରୀଙ୍କ ପାଇଁ ଅଡୁଆ | ମହାପ୍ରଭୁ ଲିଙ୍ଗରାଜଙ୍କ ଜମି ଦୁର୍ନୀତି ମାମଲାର ଶୁଣାଣି କରିଛନ୍ତି ମାନ୍ୟବର ହାଇକୋର୍ଟ | ଦୀର୍ଘ ୨୨ ବର୍ଷ ତଳର ଏକ ମାମଲାର ବିଚାର କରି ହାଇକୋର୍ଟ ଏହି ଜମି ଦୁର୍ନୀତିର ସାନି ଯାଞ୍ଚ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏକ କମିଟି ଏହାର ଯାଞ୍ଚ୍ କରିବ ଓ ଆବଶ୍ୟକ ପଦକ୍ଷେପ ପାଇଁ ଦେବୋତ୍ତର କମିସନର ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବେ ବୋଲି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍.ମୁରଲୀଧର ଏବଂ ବିଚାରପତି ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଶାନ୍ତ କୁମାର ମିଶ୍ରଙ୍କ ପକ୍ଷରୁ ୧୯୯୯ରେ ରୁଜୁ ମାମଲାର ବିଚାର କରି ଶେଷ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ମହାପ୍ରଭୁ ଲିଙ୍ଗରାଜଙ୍କ ଜମିକୁ ବହୁ ଲୋକ ଜବଦଖଲ କରିଥିଲାବେଳେ ସେହିସବୁ ଜମିକୁ ଉଦ୍ଧାର ପାଇଁ ଶ୍ରୀ ମିଶ୍ର ଏହି ମାମଲା ରୁଜୁ କରିଥିଲେ । ମାମଲାର ଶୁଣାଣି ଅବସରରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଇନ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା । ବିଭିନ୍ନ ସମୟରେ ରାଜ୍ୟ ସରକାର ଏହି ମାମଲାରେ କମିଟି ନିର୍ଦ୍ଦେଶ ଅନୁଯାୟୀ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ସେ ସଂକ୍ରାନ୍ତରେ ଅଦାଲତଙ୍କୁ ସତ୍ୟପାଠ ଜରିଆରେ ଅବଗତ କରି ଆସୁଥିଲେ ।





