ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ କଦଳିବାଡି ଗାଁରେ ଘଟିଛି ଅଘଟଣ । ପୋଖରୀରେ ବୁଡ଼ି ଚାଲିଯାଇଛି ଦୁଇ ଶିଶୁଙ୍କ ଜୀବନ । ମୃତ ଶିଶୁ ଦ୍ୱୟ ହେଲେ ସୁମି ହେମ୍ବ୍ରମ ଓ ରାଜେଶ ହେମ୍ବ୍ରମ। ସେମାନଙ୍କୁ ୩ ବର୍ଷ ହୋଇଥିଲା।
ମଳିଥିବା ସୂଚନା ଅନୁସାରେ, ଗତକାଲି ଅପରାହ୍ଣ ସମୟରେ ସୁମି ଓ ରାଜେଶ ଘର ପାଖରେ ଖେଳୁଥିଲେ। ପରେ ଘର ଲୋକ ସେମାନଙ୍କୁ ଦେଖିବାକୁ ନ ପାଇବାରୁ ଖୋଜା ଖୋଜି କରିଥିଲେ,ହେଲେ ପାଇନଥିଲେ। ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଉଭୟଙ୍କ ମୃତଦେହ ଗାଁ ପୋଖରୀରେ ଭାସୁଥିବା ଗ୍ରାମବାସୀ ଦେଖିଥିଲେ। ଉଭୟଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ଓ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି । ସେପଟେ ଏହି ଘଟଣାକୁ ନେଇ ଅଂଚଳରେ ଦୁଃଖର ଲହରୀ ଖେଳିଯାଇଛି ।





