ପୁଣି ବିଜେପି କୁ ଲାଗିଲା ଆଉ ଏକ ଝଟକା । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ର ସ୍ଥିତି ଧୀରେ ଧୀରେ ସଂଘିନ ହେବାରେ ଲାଗିଛି । ଯୋଗୀ ସରକାରଙ୍କ ପାଇଁ ଚିନ୍ତା ବଢ଼ି ଯାଇଛି । ବିଜେପିରୁ ବିଧାୟକ ଓ ମନ୍ତ୍ରୀମାନେ କ୍ରମାଗତ ଭାବେ ଦଳ ଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେଉଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଯୋଗୀ କ୍ୟାବିନେଟରେ ପୂର୍ବତନ ମନ୍ତ୍ରୀ ଥିବା ଦାରାସିଂ ଚୌହାନ ଆଜି ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ସେ ଆଜି ସପାରେ ଯୋଗ ଦେଇଛନ୍ତି ।
କହିରଖୁ କି ଦାରାସିଂ ଚୌହାନ କିଛିଦିନ ତଳେ ବିଜେପିରୁ ଇସ୍ତଫା ଦେଇଥିଲେ । ଏହାପରେ ସେ କେଉଁ ଦଳରେ ଯୋଗ ଦେବା ନା ରାଜନୀତିରୁ ଦୂରେଇ ଯିବେ ଏନେଇ କଳ୍ପନା ଜଳ୍ପନା ଜୋର ଧରିଥିଲା । ହେଲେ ଶେଷରେ ସେ ଆଜି ସପାରେ ଯୋଗଦେଇ ପୁଣି ବିଜେପି ପାଇଁ କଣ୍ଟା ସାଜିଛନ୍ତି । ବିଜେପିରେ ଯୋଗଦେବା ଅବସରରେ ଦାରା ସିଂ କହିଛନ୍ତି କି ଯୋଗୀ ସରକାରରେ ମନ୍ତ୍ରୀ ଓ ବିଧାୟକ ଥିବା ନେତାମାନଙ୍କୁ ବିଜେପି ଗୋଲାମ କରି ରଖିବାକୁ ଚେଷ୍ଟା କରୁଛି । ଆଜିର ମିଶ୍ରଣ ପର୍ବରେ କେବଳ ଦାରାସିଂ ଚୌହାନ ନୁହନ୍ତି ବରଂ ବିଜେପିର ଅନେକ ବରିଷ୍ଠ ଓ ଯୁବ ନେତୃତ୍ୱ ବି ଅଖିଳେଶଙ୍କ ସହ ହାତ ମିଳାଇଥିବା ଜଣା ପଡିଛି ।





