ରହସ୍ୟମୟ ଭାବରେ ଟ୍ରେନରୁ ନିଖୋଜ ହେଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ; ୧୬୨ କି.ମି ପରେ ହେଲେ ଉଦ୍ଧାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରହସ୍ୟମୟ ଭାବରେ ଟ୍ରେନରୁ ନିଖୋଜ ହୋଇଗଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ।ପ୍ରାୟ ତିନି ଘଣ୍ଟାର ପରେ, ୧୬୨ କିଲୋମିଟର ଦୂରରେ ଆହତ ଅବସ୍ଥାରେ ଉଦ୍ଧାର ହେଲେ | ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପୁରା ଘଟଣା ସାମ୍ନାକୁ ଆସିଛି | ତେବେ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଆଲ୍ ଓରାମ ଗତ ଶନିବାର ରାତିରେ ହଜରତ ନିଜାମୁଦ୍ଦିନ ଷ୍ଟେସନରୁ ଗୋଣ୍ଡୱାନା ଏକ୍ସପ୍ରେସରେ ଯାତ୍ରା କରିଥିଲେ।

ସେ ଜବଲପୁରରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ଯେତେବେଳେ ଟ୍ରେନ୍ ଟି ଭୋର ରେ ଦାମୋହ ଷ୍ଟେସନରେ ପହଞ୍ଚିଲା, ତାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଦେଖିଲେ ଯେ ତାଙ୍କ ବଗି ଖାଲି ଅଛି।ଏହା ପରେ କେନ୍ଦ୍ର ମନ୍ତ୍ରୀ କୁଆଡେ ଗଲେ ସେନେଇ ଚାଲ ପଡିଯାଇଥିଲା | ରେଳବାଇ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ପ୍ରାୟ ତିନି ଘଣ୍ଟା ଧରି ଟ୍ରେନ୍ ଏବଂ ଟ୍ରାକରେ ସର୍ଚ୍ଚ ଅପରେସନ୍ କରିବା ପରେ, ୧୬୨ କିଲୋମିଟର ଦୂର ସିରୋହା ଷ୍ଟେସନରେ ଜବଲପୁର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସର କୋଚ୍ B-3 ର ୫୭ ନମ୍ବର ବଗିରେ ମିଳିଥିଲେ ମନ୍ତ୍ରୀ। ପରେ ଜଣାପଡ଼ିଥିଲା ଯେ , ମନ୍ତ୍ରୀ ଜୁଏଲ ଓରାମ ଭୋରରୁ ଦାମୋହ ଷ୍ଟେସନରେ ଟ୍ରେନରୁ ଓହ୍ଲାଇଥିଲେ।

ଏହି ସମୟ ମଧ୍ୟରେ, ତାଙ୍କ ବ୍ଲଡ଼ ସୁଗାର ସ୍ତର ହ୍ରାସ ପାଇଥିଲା ପରେ ଗାଡ଼ିଟି ଷ୍ଟାର୍ଟ ହେଲା। ମନ୍ତ୍ରୀ ଚଢ଼ିବାକୁ ଚେଷ୍ଟା କଲେ, କିନ୍ତୁ ତାଙ୍କ ପାଦ ଖସିଗଲା ଏବଂ ସେ ତଳେ ପଡ଼ିଗଲେ। ଯାହା ଫଳରେ ସେ ସାମାନ୍ୟ ଆହତ ହୋଇଥିଲେ। ସେହି ସମୟରେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍ ଅନ୍ୟ ପ୍ଲାଟଫର୍ମରେ ପହଞ୍ଚିଲା। ମନ୍ତ୍ରୀ ସେଥିରେ ଚଢ଼ିଯାଇଥିଲେ। ତେବେ ଏ ରହସ୍ୟମୟ ଘଟଣା ସାମ୍ନାକୁ ଆସିବା ପରେ ସବୁଠି ଏହା ଚର୍ଚାର ବିଷୟ ପାଲଟିଥିଲା |

Related Posts