ରାଷ୍ଟ୍ରପତିଙ୍କ ସୁରକ୍ଷାରେ ଢିଲା; ନବନିର୍ମିତ କଂକ୍ରିଟ ହେଲିପ୍ୟାଡରେ ଫସିଲା ହେଲିକପ୍ଟର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରପତିଙ୍କ ସୁରକ୍ଷାରେ ଢିଲା । ନବନିର୍ମିତ କଂକ୍ରିଟ ହେଲିପ୍ୟାଡରେ ଫସିଲା ହେଲିକପ୍ଟର । ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୪ ଦିନିଆ କେରଳ ଗସ୍ତରେ ଅଛନ୍ତି । ଏହି ସମୟରେ ସାବରିମାଳା ଦର୍ଶନ କାର୍ଯ୍ୟକ୍ରମ ବେଳେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଦେଖାଦେଇଥିଲା । ତୀର୍ଥଯାତ୍ରାରେ ଯାଉଥିବା ରାଷ୍ଟ୍ରପତିଙ୍କ ହେଲିକପ୍ଟର ଚକ କେରଳର ପ୍ରମାଦମରେ ନବନିର୍ମିତ କଂକ୍ରିଟ ହେଲିପ୍ୟାଡରେ ହଠାତ ଫସି ଯାଇଥିଲା । ବର୍ତ୍ତମାନ ଏହି ଘଟଣା ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ ଅକ୍ଟୋବର ୨୧ ତାରିଖ ସନ୍ଧ୍ୟାରେ ହେଲିପ୍ୟାଡ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା ଏବଂ ପାଇଲଟଙ୍କ ନିର୍ଦ୍ଦେଶରେ ରାତାରାତି କଂକ୍ରିଟ୍ ଢଳା ଆରମ୍ଭ ହୋଇଥିଲା । ସକାଳ ସୁଦ୍ଧା କାର୍ଯ୍ୟକୁ ସମାପ୍ତ କରାଯାଇଥିଲା । କାହିଁକିନା ରାଷ୍ଟ୍ରପତିଙ୍କ ହେଲିକପ୍ଟର ସେଠାରେ ଅବତରଣ କରିବାର ଥିଲା । ତେବେ ରାତାରାତି ହେଲିପ୍ୟାଡ ନିର୍ମାଣକୁ ନେଇ ରାଜ୍ୟ ଗୁଇନ୍ଦା ବିଭାଗ ପୂର୍ବରୁ ସତର୍କ କରାଇ ଦେଇଥିଲା ଯେ ହେଲିପ୍ୟାଡରେ କଂକ୍ରିଟ୍ ସମ୍ପୂର୍ଣ୍ଣ ଶୁଖିଲା ନାହିଁ ତେଣୁ ହେଲିକପ୍ଟରକୁ ସେଠାରେ ଅବତରଣ କରାଯିବା ଉଚିତ୍ ନୁହେଁ ।

କିନ୍ତୁ ଏହି ଚେତାବନୀକୁ କେହି ଗୁରୁତ୍ବ ନଦେଇ ରାଷ୍ଟ୍ରପତିଙ୍କ ହେଲିକପ୍ଟରକୁ ଓଦା ଥିବା କଂକ୍ରିଟ୍ ରାସ୍ତାରେ ଅବତରଣ କରି ଦେଇଥିଲେ ଯାହାଦ୍ବାରା ଏଭଳି ଅଭାବନୀୟ ଘଟଣା ଘଟିଲା । ସମୟ ବିଳମ୍ବ ନକରି ପୁଲିସ ଓ ଅଗ୍ନିଶମବାହିନୀ ହେଲିକପ୍ଟରକୁ ଠେଲି ଘଟଣାସ୍ଥଳରୁ ବାହାର କରି ସୁରକ୍ଷିତ ସ୍ଥାନକୁ ନେଇଥିଲେ । ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Related Posts