ରେଡ଼ିଓ ନମସ୍କାର ପାଇଲା ଜାତୀୟ କମ୍ୟୁନିଟି ରେଡିଓ ସମ୍ମାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶାର ପ୍ରଥମ କମ୍ୟୁନିଟି ରେଡ଼ିଓ ଷ୍ଟେସନ ରେଡ଼ିଓ ନମସ୍କାରକୁ ମୁମ୍ବାଇ ଠାରେ ଆୟୋଜିତ ଜାତୀୟ କମ୍ୟୁନିଟି ରେଡ଼ିଓ ସମ୍ମେଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍. ମୁରୁଗନ ପ୍ରଦାନ କରିଛନ୍ତି। ୨୦୧୦ ମସିହାରେ ଜାତୀୟ ସ୍ତରର ବିକାଶ ସଂଗଠନ ‘ୟଙ୍ଗ ଇଣ୍ଡିଆ’ ଦ୍ୱାରା ଏହି ରେଡିଓ କେନ୍ଦ୍ର କୋଣାର୍କରେ ଆରମ୍ଭ କରାଯାଇଥିଲା। ଆଜି ଏହି କେନ୍ଦ୍ର ପୁରୀ ଜିଲ୍ଲାର ୭୦୦ ଠାରୁ ଅଧିକ ଗାଁ ଓ ପ୍ରାୟ ୩ ଲକ୍ଷ ଜନବସତି ପାଖରେ ପହଞ୍ଚୁଛି ।

ହଜାର ହଜାର ଲୋକଙ୍କର ସ୍ୱର ହୋଇପାରିଛି ରେଡ଼ିଓ ନମସ୍କାର। ଅସଂଖ୍ୟ ନିରାଶ୍ରୟ ଓ ସରଳ ଲୋକ ରେଡ଼ିଓ ନମସ୍କାରରୁ ସୁଫଳ ପାଇପାରିଛନ୍ତି । ରେଡିଓ ନମସ୍କାରର କାର୍ଯ୍ୟକ୍ରମ ମୁଖ୍ୟ ତଥା ଯୁବ କମ୍ୟୁନିଟି ମିଡିଆ ଗବେଷକ ଅନ୍ଦାଜ ଆରନ୍ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଏଥି ପୂର୍ବରୁ ରେଡ଼ିଓ ନମସ୍କାର ବିଗତ ବର୍ଷ ମାନଙ୍କରେ ନିଜର ପ୍ରଭାବଶାଳୀ ଓ ଲୋକାଭିମୁଖୀ କାର୍ଯ୍ୟଧାରା ନିମନ୍ତେ ୫ ଥର ଜାତୀୟ ସମ୍ମାନ ପାଇସାରିଛି । ୟଙ୍ଗ ଇଣ୍ଡିଆ ଗତ ୨ ଦଶନ୍ଧି ଧରି ସାଧାରଣ ଲୋକଙ୍କ ସ୍ୱରକୁ ଉଜ୍ଜୀବିତ କରିବାକୁ ବିଭିନ୍ନ ପଦକ୍ଷେପ ନେଇ ଆସୁଛି । ଖୁବ୍ ଶୀଘ୍ର କୋଣାର୍କ ଠାରେ ୟଙ୍ଗ ଇଣ୍ଡିଆ ଦ୍ଵାରା “ଏସିଆ ସେଣ୍ଟର୍ ଫର କମ୍ୟୁନିଟି ମିଡିଆ” ନାମକ ଏକ ନୂତନ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି, ଯାହା ଭବିଷ୍ୟତରେ ଏସିଆରେ କମ୍ୟୁନିଟି ମିଡିଆ କ୍ଷେତ୍ରର ଏକ ସ୍ଵତନ୍ତ୍ର କେନ୍ଦ୍ର ଭାବେ ପରିଗଣିତ ହେବ।ରେଡ଼ିଓ ନମସ୍କାରକୁ ଏହି ଜାତୀୟ ସମ୍ମାନ ମିଳିଥିବାରୁ ବିଭିନ୍ନ ସ୍ତରରୁ ଅଭିନନ୍ଦନ ଜ୍ଞାପନ କରାଯାଉଛି ।

Related Posts