ରୋଚକ ମୋଡ଼ରେ ଚଳିତ ପଞ୍ଚାୟତ ନିର୍ବାଚନ: ପରିବାର ପରିବାର ମଧ୍ୟରେ ହେବ କଡ଼ା ଟକ୍କର

ଆଗକୁ ପଞ୍ଚାୟତ ନିର୍ବାଚନ । ନିର୍ବାଚନ ପୂର୍ବରୁ ସରଗରମ ହେବାରେ ଲାଗିଛି ଗାଁ ରାଜନୀତି । ପ୍ରାଥି ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ, ଏଥର ପରିବାର ପରିବାର ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ଜିଲ୍ଲାପରିଷଦ ଆସନ ପାଇଁ ପରିବାରରେ ପ୍ରତିଦ୍ୱନ୍ଦ୍ୱିତା । ନିର୍ବାଚନ ମୈଦାନରେ ଭାଇ-ଭାଇ ମଧ୍ୟରେ ଲଢେଇ । ସ୍ବାମୀ ଓ ସ୍ତ୍ରୀମଧ୍ୟରେଲଢେଇ, ଶାଶୂ ଓ ବୋହୁ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ । ରାଜନୀତିର ନିଶା, ଭାଇକୁ ଭାଇ ବିରୋଧରେ ପ୍ରତିଦ୍ୱନ୍ଦ୍ୱୀ ଭାବେ ଠିଆ କରିଛି । କେନ୍ଦୁଝର ଜିଲ୍ଲା ପାଟଣାର ବିଜେଡି ବିଧାୟକ ଜଗନ୍ନାଥ ନାଏକଙ୍କ ବଡ ଭାଇ ସତ୍ୟ ନାଏକ ବିଜେପି ଟିକେଟରେ ଜିଲ୍ଲା ପରିଷଦ ଲଢୁଛନ୍ତି । ଜଗନ୍ନାଥ ବିଜେଡି ପାଇଁ ଭୋଟ ମାଗୁଥିବା ବେଳେ ତାଙ୍କ ବଡ ଭାଇ ବିଜେପି ଟିକଟରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ।

ଅନ୍ୟପଟେ ସେହିଭଳି ସମାନ ଘଟଣା ଦେଖିବାକୁ ମିଳିଛି ଗନ୍ଧମାର୍ଦ୍ଦନ ଖଣି ଅଞ୍ଚଳର ୨୫ନଂ ଜିଲ୍ଲା ପରିଷଦ ଜୋନରେ । ଏହି ଜୋନରେ ବିଜେଡି ପ୍ରାର୍ଥୀ ଅରୁଣ ବାରିକ ଓ ବିଜେପି ପ୍ରାର୍ଥୀ ରଞ୍ଜିତ ବାରିକ ଦୁଇ ଭାଇ । ଏହି ଦୁଇ ଭାଇଙ୍କ ଲଢେଇ ମଧ୍ୟ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ବ୍ଲକ ମେହେନ୍ଦିନଗର ପଞ୍ଚାୟତର ଗୋଟିଏ ପଦ ପାଇଁ ଉଭୟ ସ୍ୱାମୀ ଓ ସ୍ତ୍ରୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ବର୍ତ୍ତମାନର ସରପଞ୍ଚ ରବିନ୍ଦ୍ରନାଥ ପଣ୍ଡା ଏବଂ ତାଙ୍କର ପତ୍ନୀ ରେଣୁ ପ୍ରଭା ପଣ୍ଡା ଦୁହେଁ ସମିତି ସଭ୍ୟ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ତେବେ ରେଣୁପ୍ରଭା ପଣ୍ଡା କହିଛନ୍ତି, ଦରକାର ହେଲେ ସ୍ୱାମୀଙ୍କ ବିରୋଧରେ ଲଢେଇ କରିବାରେ ତାଙ୍କର କିଛି ଅସୁବିଧା ନାହିଁ ।

ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଖିଲାପଦର ପଞ୍ଚାୟତର ସରପଞ୍ଚ ପଦ ଗତ ଛଅ ଦଶନ୍ଧି ହେଲା ଗମାଙ୍ଗୋ ପରିବାର ପାଖରେ ରହି ଆସିଛି । ୧୯୬୧ ମସିହାରେ ଖିଲାପଦର ପଞ୍ଚାୟତ ଗଠନ ପରେ ପ୍ରଥମ ସରପଞ୍ଚ ହୋଇଥିଲେ ସ୍ୱର୍ଗତ ଲିଙ୍ଗା ଗମାଙ୍ଗ । ସେ ୩୬ ବର୍ଷ ଧରି ସରପଞ୍ଚ ରହିଥିଲେ । ଏହାପରେ ତାଙ୍କ ପତ୍ନୀ ଓ ଏବେ ବୋହୁ ପାର୍ବତୀ ଗମାଙ୍ଗ ସରପଞ୍ଚ ରହିଛନ୍ତି । ଖାଲି ସେତିକି ନୁହେଁ ଏଥର ମଧ୍ୟ ସେ ସରପଞ୍ଚ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ।

ଅନ୍ୟପଟେ ଏଥର ଅନେକ ପାଠ ପଢୁଆ ପିଲା ମାନେ ଅଧିକ୍ ପାଠ ପଢି ଅନ୍ୟ ରାଜ୍ୟରେ ଚାକିରି କରିଥିବା ଲୋକ ମାନେ ଚାକିରି ଛାଡ଼ି ନିର୍ବାଚନ ଲଢ଼ିବାକୁ ଆଗକୁ ଆସିଛନ୍ତି ।

Related Posts